ଭୁବନେଶ୍ୱର: ସପ୍ତାହ ନ ପୁରୁଣୁ ରାଜଧାନୀରେ ଗଡ଼ିଛି ତିନି ନମ୍ବର ମୁଣ୍ଡ । ପୁଣି ଥରେ ରକ୍ତ ରଞ୍ଜିତ ହୋଇଛି ରାଜଧାନୀ ରାଜରାସ୍ତା । ଜଣେ ଯୁବକଙ୍କୁ ବିଚ୍ ରାସ୍ତା ଉପରେ ପିଟି ପିଟି ହତ୍ୟା କରାଯାଇଛି । ଲିଙ୍ଗରାଜ ଥାନା ଅନ୍ତର୍ଗତ ଗାୟତ୍ରୀ ବସ୍ତିରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା କରାଯାଇଛି। ମୃତକ ହେଲେ ଜିତୁ କାଣ୍ଡି। ସେ ଜଣେ ପାନ ଦୋକାନୀ ବୋଲି ପ୍ରାଥମିକ ସୂଚନାରୁ ସ୍ପଷ୍ଟ ହୋଇଛି ।
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଜିତୁ ଗାୟତ୍ରୀ ବସ୍ତିର କିଛି ଯୁବକଙ୍କ ସହ ମିଶି ମଦ୍ୟପାନ କରୁଥିଲେ । କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହେବା ସହ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ଏହି ସମୟରେ ସମସ୍ତେ ମିଶି ଜିତୁଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା ।
ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଲିଙ୍ଗରାଜ ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣା ସ୍ଥଳରେ ପହଁଚିଥିଲା । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି । ଅଭିଯୁକ୍ତମାନଙ୍କୁ ଧରିବାକୁ ଛାନଭିନ ଆରମ୍ଭ ହୋଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ସୋମବାର ଓ ମଙ୍ଗଳବାର ( ୨୭ ଓ ୨୮ ଜୁଲାଇ) ଭୁବନେଶ୍ୱର ଚକେଇସିହାଣୀରେ ୨ଟି ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ପ୍ରଦୀପ ଜେନା ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ମୋନିକା ଜେନାଙ୍କର ତଣ୍ଟିକାଟି ହତ୍ୟା କରିଥିଲା । ସେହିପରି ପର ଦିନ ଏସ୍. ଦୁର୍ଯ୍ୟୋଧନଙ୍କୁ ତାଙ୍କ ବଡ଼ ପୁଅ ଏସ୍. ଦେବଦତ୍ତ ପଥରରେ ଛେଚି ଛେଚି ହତ୍ୟା କରିଥିଲା ।