ଜଗତସିଂହପୁର: ମହାନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଶାଖା ନଦୀ ଗୁଡ଼ିକରେ ମଧ୍ୟ ବନ୍ୟା ଆସିଛି । ଜଗତସିଂହପୁରରେ ମଧ୍ୟ ସ୍ଥିତି ବିଗିଡ଼ିବା ଆରମ୍ଭ କରିଛି । ବିଭିନ୍ନ ପଞ୍ଚାୟତରେ ବନ୍ୟା ଜଳ ପ୍ରବେଶ କରିଛି । ଫଳରେ ଶହ ଶହ ଲୋକ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଇଲୋ ପଞ୍ଚାୟତର ବନ୍ୟା ପ୍ରଭାବିତ ହରିପୁର ଗ୍ରାମ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ।
ବନ୍ୟା ପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ, ଔଷଧ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କରିବା ସହିତ ସମ୍ଭାବ୍ୟ ପରିସ୍ଥିତି ରେ ଭୟଭୀତ ନ ହୋଇ ଏହାକୁ ମୁକାବିଲା କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଶିଳ୍ପମନ୍ତ୍ରୀ । ବନ୍ୟାଞ୍ଚଳର ଲୋକଙ୍କ ଜୀବନ ସୁରକ୍ଷା ଓ ପ୍ରତ୍ୟେକ ପରିବାର ପାଖରେ ସମୟୋପଯୋଗୀ ସହାୟତା ପହଞ୍ଚାଇବା ପାଇଁ ଆମ ସରକାର ସମସ୍ତ ପ୍ରୟାସ ଜାରି ରଖିଛନ୍ତି l ବନ୍ୟା ପ୍ରଭାବିତ ପ୍ରତ୍ୟେକ ଗ୍ରାମର ଅଙ୍ଗନବାଡି ଓ ଆଶାକର୍ମୀ ମାନେ ଘର ଘର ବୁଲି ଲୋକମାନଙ୍କ ପାଖରେ ପହଞ୍ଚିବା ସହିତ ଯେପରି କୌଣସି ସମସ୍ୟା ସୃଷ୍ଟି ନ ହୁଏ ଏଥିପ୍ରତି ସମସ୍ତ ବିଭାଗକୁ ସଜାଗ କରାଇଛନ୍ତି ଶିଳ୍ପମନ୍ତ୍ରୀ । ବନ୍ୟା ପ୍ଲାବିତ ଅଞ୍ଚଳରେ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଏକ ସୁବନ୍ଦୋବସ୍ତ କରାଯିବା ସହିତ ଏହି କଠିନ ସମୟରେ ସମସ୍ତଙ୍କୁ ସତର୍କ ରହିବା, ପ୍ରଶାସନର ପରାମର୍ଶ ପାଳନ କରିବା ଏବଂ ଗୁଜବରୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ସମ୍ପଦ ଚନ୍ଦ୍ର ସ୍ୱାଇଁ ।