କଟକ: ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିଛି । ହୀରାକୁଦରେ ଆଜି ସକାଳ ସୁଦ୍ଧା ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ସେପଟେ ମୁଣ୍ଡଳୀଠାରେ ଧିରେ ଧିରେ ଜଳସ୍ତର ବୃଦ୍ଧି ପାଇଛି । ମୁଣ୍ଡଳୀଠାରେ ସେକେଣ୍ଡକୁ ୮ ଲକ୍ଷ ୭୩,୦୩୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଅପ୍ ଷ୍ଟ୍ରିମ୍ ଜଳସ୍ତର ୯୪. ୦୦ ଫୁଟ୍ ରହିଥିବାବେଳେ ଡାଉନ୍ ଷ୍ଟ୍ରିମ୍ ଜଳସ୍ତର ୯୧.୩୦ ଫୁଟ୍ ରହିଛି । ଆଉ କିଛି ସମୟ ପରେ ମୁଣ୍ଡଳୀ ଦେଇ ସାଢ଼େ ୯ ଲକ୍ଷ ବନ୍ୟା ଜଳ ନିଷ୍କାସିତ ହେବ ।
ପ୍ରଭାବିତ ହେବ ୫ ଜିଲ୍ଲା
ମହାନଦୀର ଶାଖା ନଦୀଗୁଡ଼ିକରେ ଧିରେ ଧିରେ ଜଳ ସ୍ତର ବୃଦ୍ଧି ପାଇ ତଳି ଅଞ୍ଚଳ ଜଳମଗ୍ନ ହେବା ଆରମ୍ଭ କରିଛି । ଲୁଣା, କରାଣ୍ଡିଆ, ଚିତ୍ରତ୍ପୋଳା, ପାଇକା, ଦେବୀ, କନ୍ଦଳ, କୁଆଖାଇ, କୁଶଭଦ୍ରା, ଦୟା ଓ ଭାର୍ଗବୀ ନଦୀରେ ଜଳସ୍ତର ବୃଦ୍ଧି ପାଇବ । ଏହା ଦ୍ୱାରା ଉପକୂଳବର୍ତ୍ତୀ ଜିଲ୍ଲା କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ସହିତ ଖୋର୍ଦ୍ଧା ଜିଲ୍ଲା ବାସିନ୍ଦା ପ୍ରଭାବିତ ହେବେ । କଟକ ଆଠଗଡ଼ ଓ ବାଙ୍କି ବ୍ଲକ ବିଶେଷଭାବେ ପ୍ରଭାବିତ ହୋଇପାରେ । ଜଗତସିଂହପୁରର କୁଜଙ୍ଗ, ବାଲିକୁଦା, ଏରସମା, ଓ ତିର୍ତ୍ତୋଲ ପ୍ରଭାବିତ ହେବ । ସେହିପରି କେନ୍ଦ୍ରାପଡ଼ାର ପାଟକୁରା, ଗରଦପୁର ଓ ଆଳି ବ୍ଲକ୍ ମଧ୍ୟ ପ୍ରଭାବିତ ହେବ । ପୁରୀର କଣାସ, ଡେଲାଙ୍ଗ, ନିମାପଡ଼ା, ବ୍ରହ୍ମଗିରି, ଅସ୍ତରଙ୍ଗ ଓ କାକଟପୁର ଆଦି ସ୍ଥାନ ପ୍ରଭାବିତ ହେବାର ସମ୍ଭାବନା ରହିଛି ।
ବିପଦ ସଙ୍କେତ ଟପିଲା ଦେବୀ ଓ ଭାର୍ଗବୀ
ପ୍ରାଥମିକ ସୂଚନା ଆଧାରରେ ଦେବୀ ଓ ଭାର୍ଗବୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ବଳଙ୍ଗାଠାରେ ଭାର୍ଗବୀ ନଦୀର ବିପଦ ସଂକେତ ୧୦.୪୨ ଫୁଟ୍ ରହିଥିବାବେଳେ ଏହା ଅତିକ୍ରମ କରି ୧୧.୨୫ ଫୁଟ୍ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେହିପରି ବାଉରିଆକଣଠାରେ ଦେବୀ ନଦୀ ୫.୦୮ ଫୁଟ୍ ଉପରେ ପ୍ରବାହିତ ହେଉଛି । ବାଉରିଆକଣଠାରେ ଦେବୀ ନଦୀର ବିପଦ ସଂକେତ ୪.୯୫ ରହିଛି । ସେପଟେ ଅଂଶୁପା ହ୍ରଦରେ ମହନଦୀ ଜଳ ପ୍ରବେଶ କରିବା ଫଳରେ ଆଠଗଡ଼, ତିଗିରିଆ ଓ ବାଙ୍କୀ ବ୍ଲକର ଅନେକ ପଞ୍ଚାୟତ ପ୍ରଭାବିତ ହୋଇଛି । ତିଗିରିଆର ବଡ଼ନାଉପୂଟ, ସୋମପଡ଼ା, ହାଟ୍ଟମାଳ ଓ ଗଦାଧରପୁର ଏବଂ ବାଙ୍କୀର ଓସ୍ତିଆ, ସୁବର୍ଣ୍ଣପୁର, ବନ୍ଦାଳ ପଞ୍ଚାୟତର ୧୫ ଗାଁ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।
ଖୋର୍ଦ୍ଧା ଓ ଜଗତସିଂହପୁରରେ ସ୍କୁଲ ଛୁଟି
ମହାନଦୀରେ ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ଦୁଇଟି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ଖୋର୍ଦ୍ଧାରେ ଆଜି ପାଇଁ ଛୁଟି ଘୋଷଣା ହୋଇଥିବାବେଳେ ଜଗତସିଂହପୁର ଆଜି ଓ ଆସନ୍ତାକାଲି ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ଏହା ସହିତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।