ଭୁବନେଶ୍ୱର: ଲଗାଣ ବର୍ଷା ଓ ବିଭିନ୍ନ ନଦୀରେ ବଢ଼ୁଥିବା ଜଳସ୍ତର ଯୋଗୁଁ ଶୁକ୍ରବାର ମଧ୍ୟ ଓଡ଼ିଶାର ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଯାଜପୁର, ଭଦ୍ରକ ଓ ପୁରୀ ଜିଲ୍ଲାର ଅନେକ ଅଞ୍ଚଳ ପାଣି ଘେରରେ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ଜୋରଦାର କରାଯାଇଛି।
ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା। ପ୍ରବଳ ଜଳପ୍ରବାହ ଯୋଗୁଁ ତିନୋଟି ନଦୀରେ ମୋଟ ୭ଟି ଘାଇ ସୃଷ୍ଟି ହୋଇଛି। ବ୍ରାହ୍ମଣୀ ନଦୀରେ ୪ଟି, ବୈତରଣୀର ଶାଖା କାଣୀ ନଦୀରେ ୨ଟି ଏବଂ ଖରସ୍ରୋତାର ଶାଖା ନୂଆ ମହାରା ନଦୀରେ ଗୋଟିଏ ଘାଇ ହୋଇଛି। ଏହାଫଳରେ ବନ୍ୟାଜଳ ବହୁ ଗାଁରେ ପ୍ରବେଶ କରିଛି।
ଜିଲ୍ଲାର ପ୍ରାୟ ୨୫୦ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ୧ ଲକ୍ଷରୁ ଅଧିକ ଲୋକ ଏହାର ପ୍ରଭାବରେ ରହିଛନ୍ତି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ୧୦ ହଜାରରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ବଣ୍ଟନ ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଅନ୍ୟପଟେ ଭଦ୍ରକ ଜିଲ୍ଲାରେ ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଙ୍କେତଠାରୁ ଉପରକୁ ବହୁଛି। ରାଜଘାଟରେ ନଦୀର ଜଳସ୍ତର ୧୮.୫୦ ଫୁଟ ରେକର୍ଡ ହୋଇଥିବା ବେଳେ ବିପଦ ସଙ୍କେତ ୧୭ ଫୁଟ ରହିଛି। ଏହାର ପ୍ରଭାବରେ ଭଦ୍ରକ, ଚାନ୍ଦବାଲି, ତିହିଡ଼ି ଓ ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି।
ସେହିପରି କଂସବଂଶ ଓ ଗମେଇ ନଦୀରେ ବଢ଼ୁଥିବା ପାଣି ଯୋଗୁଁ ବାସୁଦେବପୁର ବ୍ଲକର ୭ଟି ପଞ୍ଚାୟତ ବନ୍ୟା କବଳରେ ରହିଛି। ଅନେକ ରାସ୍ତା ପାଣିରେ ବୁଡ଼ିଯାଇଥିବାରୁ ଯାତାୟାତ ବ୍ୟାହତ ହୋଇଛି ଏବଂ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ପୁରୀ ଜିଲ୍ଲାରେ ମଧ୍ୟ ସ୍ଥିତି ଚିନ୍ତାଜନକ ରହିଛି। ଦେବୀ ଓ ଭାର୍ଗବୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବାଲଙ୍ଗାଠାରେ ଭାର୍ଗବୀ ନଦୀର ଜଳସ୍ତର ୧୧.୨୫ ଫୁଟ ଥିବାବେଳେ ବିପଦ ସଙ୍କେତ ୧୦.୪୨ ଫୁଟ। ସେହିପରି ବୌରୀଆକଣାରେ ଦେବୀ ନଦୀ ୫.୦୮ ଫୁଟ ରେ ପ୍ରବାହିତ ହେଉଥିବା ବେଳେ ବିପଦ ସଙ୍କେତ ୪.୯୫ ଫୁଟ ରହିଛି।
ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି। ଆବଶ୍ୟକ ସ୍ଥାନରେ ଉଦ୍ଧାରକାରୀ ଟିମ୍ ମୁତୟନ କରାଯାଇଥିବା ବେଳେ ଲୋକମାନଙ୍କୁ ସତର୍କ ରହିବା ସହ ପ୍ରଶାସନର ପରାମର୍ଶ ମାନିବାକୁ ଅନୁରୋଧ କରାଯାଇଛି।