ବ୍ରହ୍ମପୁର: ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଅଲ୍ ଓଡ଼ିଶା ମେଡିକାଲ୍ ପିଜି ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଘଟଣାର ଖୋଳତାଡ଼ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏମକେସିଜି ଡିନଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧ୍ୟାପକଙ୍କୁ ନେଇ ୫ ଜଣିଆ କମିଟି ଗଠନ କରାଯାଇଛି । ଏଥିରେ ଅଧୀକ୍ଷକ ପ୍ରଫେସର ସୁଦେପା ଦାସ, ରେଜିଷ୍ଟାର ଡା ଶ୍ୱେତା କୁମାର ଦାଶ, ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଶିବ ପ୍ରସାଦ ପଟ୍ଟନାୟକ, ମାନସିକ ରୋଗ ବିଭାଗ ମୁଖ୍ୟ ପ୍ରଫେସର ଚନ୍ଦ୍ର ଶେଖର ତ୍ରିପାଠୀ, ଆନାସ୍ଥେସିଓଲୋଜି ପ୍ରଫେସର ଦେବବ୍ରତ୍ତ ନାଥ ଶର୍ମା ଅଛନ୍ତି । ଏହି ତଦନ୍ତ କରି ୭୨ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ ଏମକେସିଜି କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।
ଜୁଲାଇ ୨୧ ତାରିଖରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ପିଜି ପରୀକ୍ଷା ଜାରି ରହିଛି । ୨୦ରୁ ଅଧିକ ବିଭାଗର ପିଜି ପରୀକ୍ଷା ଜାରି ରହିଛି । ଏମକେସିଜିରେ ପରୀକ୍ଷା ଚାଲିଥିବାବେଳେ ପ୍ରଶ୍ନପତ୍ର ଅନ୍ୟ ଶିକ୍ଷାନୁଷ୍ଠାନକୁ ୱାଟସ୍ଆପ୍ ଜରିଆରେ ପଠାଯାଇଥିବା ଅଭିଯୋଗ ହୋଇଛି । ଉକ୍ତ ପ୍ରଶ୍ନ ପତ୍ର ସୋସିଆଲ୍ ମିଡ଼ିଆରେ ଘୂରି ବୁଲୁଛି । ପରୀକ୍ଷା ହଲ୍ ଭିତରକୁ ମୋବାଇଲ୍ କିଏ ନେଲା ଏବଂ ସେ କେମିତି ଫଟୋ ଉଠାଇପାରିଲା ତାହା ବଡ଼ ପ୍ରଶ୍ନ । ଏଥିରେ ତାଙ୍କୁ କିଏ ସହଯୋଗ କରିଛନ୍ତି ସେ ନେଇ ଖୋଳତାଡ଼ ହେବ ।