ନୂଆଦିଲ୍ଲୀ: ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ଆହୁରି ମଜବୁତ କରିବା ଓ ରେଳ ଯୋଗାଯୋଗ ବ୍ୟବସ୍ଥାର ବିକାଶ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଗୁରୁବାର ନୂଆଦିଲ୍ଲୀରେ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ଓଡ଼ିଶାରେ ଚାଲିଥିବା ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସହ ନୂଆ ରେଳ ଲାଇନ ପ୍ରକଳ୍ପକୁ ଶୀଘ୍ର ଆଗେଇ ନେବା ନେଇ ଉଭୟ ନେତା ଆଲୋଚନା କରିଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଉନ୍ନତ ରେଳ ସଂଯୋଗ ଦେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ବିଶେଷକରି ଶିଳ୍ପାଞ୍ଚଳ ସହ ଉତ୍ତମ ରେଳ ଯୋଗାଯୋଗ ସ୍ଥାପନ କରିବା ସହ ଆଦିବାସୀ ଓ ଦୁର୍ଗମ ଅଞ୍ଚଳରେ ଶେଷ ମାଇଲ୍ ସଂଯୋଗକୁ ମଜବୁତ କରିବା ଉପରେ ଆଲୋଚନା ହୋଇଛି। ରେଳ ଭିତ୍ତିଭୂମିର ବିକାଶ ଦ୍ୱାରା ରାଜ୍ୟର ଶିଳ୍ପ, ବାଣିଜ୍ୟ ଓ ଅର୍ଥନୈତିକ ବିକାଶକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି।
ସାକ୍ଷାତକାର ପରେ ମୁଖ୍ୟମନ୍ତ୍ରୀ ମାଝୀ ‘ଏକ୍ସ’ରେ ଏନେଇ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ନିରନ୍ତର ସହଯୋଗରେ ଓଡ଼ିଶା ଏକ ବିକଶିତ ଓ ସମୃଦ୍ଧ ରାଜ୍ୟ ଗଠନ ଦିଗରେ ଆଗକୁ ବଢ଼ୁଛି ବୋଲି ସେ କହିଛନ୍ତି।
ଚାଲିଥିବା ରେଳ ପ୍ରକଳ୍ପଗୁଡ଼ିକର କାମ ଶୀଘ୍ର ଶେଷ କରିବା ସହ ନୂଆ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି। ଏହା ଫଳରେ ଓଡ଼ିଶାର ରେଳ ନେଟୱର୍କ ଆହୁରି ସୁଦୃଢ଼ ହେବା ସହ ରାଜ୍ୟର ଯୋଗାଯୋଗ ବ୍ୟବସ୍ଥାକୁ ନୂଆ ଦିଗ ମିଳିବ ବୋଲି ଆଶା କରାଯାଉଛି।