ଭୁବନେଶ୍ୱର: ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିସାରିଛି । ସେପଟେ ହୀରାକୁଦ ଜଳ ଭଣ୍ଡାରରୁ ଯେତେ ପାଣି ନିଷ୍କାସିତ ହେଉଛି ଏପଟେ ତଳିଆ ଅଞ୍ଚଳ ଧିରେ ଧିରେ ସେତିକି ଜଳମଗ୍ନ ହେଉଛି । ଜଳଭଣ୍ଡାରର ଆହୁରି ୧୦ଟି ଗେଟ୍ ଖୋଲିବାକୁ ଜଳ ସମ୍ପଦ ବିଭାଗ ନିଷ୍ପତ୍ତି ନେଇଥିବା କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ।
ଗତକାଲି ହୀରାକୁଦର ୨ଟି ଗେଟ୍ ଖୋଲା ଥିଲା । ଏହା ପରେ ଆଜି ସକାଳେ ଆହୁରି ୧୦ଟି ଗେଟ୍ ଖୋଲାଯାଇଥିଲା । ପରବର୍ତ୍ତୀ ସମୟରେ ଆହୁରି ୨ଟି ଗେଟ୍ ଖୋଲାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ମୋଟ ୨୨ଟି ଗେଟ୍ ଖୋଲା ହେବ ବୋଲି ଜଳ ସମ୍ପଦ ବିଭାଗ ଯୋଜନା ରଖିଛି । ଉପର ମୁଣ୍ଡରୁ ଜଳଭଣ୍ଡାରକୁ ଅଧିକ ପାଣି ପ୍ରବେଶ କରୁଥିବାରୁ ଗେଟ୍ ଖୋଲାଯିବାକୁ ନିଷ୍ପତି ହୋଇଛି ।
ସେପଟେ ଖଇରମାଳରେ ୫ ଲକ୍ଷ ୨୭ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି । ସନ୍ଧ୍ୟା ସୁଦ୍ଧା ପାଣି ଧିରେ ଧିରେ ଆହୁରି ତଳକୁ ଖସିବ । ତେଣୁ ହୀରାକୁଦରେ ଆଉ ଗେଟ୍ ଖୋଲା ଗଲେ ମଧ୍ୟ ସାଢ଼େ ୭ ଲକ୍ଷ ଉପରକୁ ବନ୍ୟା ଜଳ ଯିବ ନାହିଁ । ହୀରାକୁଦ ପାଣି ଆସିଲେ ପ୍ରାୟ ସାଢ଼େ ୭ ଲକ୍ଷ ପାଣି ପ୍ରବାହିତ ହେବ ।
ଅଧିକ ପଢ଼ନ୍ତୁ-ରାଜସ୍ୱ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ୪୦ ଘଣ୍ଟାରେ ନରାଜରେ ପହଁଚିବ ବନ୍ୟା ଜଳ, ସଜାଗ ରହିବାକୁ ନିର୍ଦ୍ଦେଶ
ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା। ପ୍ରବଳ ଜଳପ୍ରବାହ ଯୋଗୁଁ ତିନୋଟି ନଦୀରେ ମୋଟ ୭ଟି ଘାଇ ସୃଷ୍ଟି ହୋଇଛି। ବ୍ରାହ୍ମଣୀ ନଦୀରେ ୪ଟି, ବୈତରଣୀର ଶାଖା କାଣୀ ନଦୀରେ ୨ଟି ଏବଂ ଖରସ୍ରୋତାର ଶାଖା ନୂଆ ମହାରା ନଦୀରେ ଗୋଟିଏ ଘାଇ ହୋଇଛି। ଏହାଫଳରେ ବନ୍ୟାଜଳ ବହୁ ଗାଁରେ ପ୍ରବେଶ କରିଛି। ଜିଲ୍ଲାର ପ୍ରାୟ ୨୫୦ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ୧ ଲକ୍ଷରୁ ଅଧିକ ଲୋକ ଏହାର ପ୍ରଭାବରେ ରହିଛନ୍ତି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ୧୦ ହଜାରରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ବଣ୍ଟନ ସହ ଉଦ୍ଧାର କାର୍ୟ୍ୟ ଜାରି ରହିଛି।