ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ସକାଳୁ ସକାଳୁ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଛି। ବେଲଗୁଣ୍ଠା ଥାନା ଅନ୍ତର୍ଗତ ନୂଆଗାଁ ବ୍ରିଜ୍ ନିକଟରେ ଏକ ଚଳନ୍ତା କାର୍ ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ୍ ତଳକୁ ଖସି ପଡ଼ିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
ମୃତକ ହେଲେ ଭଞ୍ଜନଗର ଅଞ୍ଚଳର ସୁନୀଲ ମହାନ୍ତି। ସୂଚନା ଅନୁଯାୟୀ, ସେ ବେଲଗୁଣ୍ଠାରୁ ଭଞ୍ଜନଗର ଅଭିମୁଖେ ନିଜ କାର୍ରେ ଯାଉଥିବା ବେଳେ ନୂଆଗାଁ ବ୍ରିଜ୍ ନିକଟରେ ହଠାତ୍ ଗାଡ଼ିର ଭାରସାମ୍ୟ ହରାଇଥିଲେ। ଫଳରେ କାର୍ଟି ବ୍ରିଜ୍ ଉପରୁ ପ୍ରାୟ ୫୦ ଫୁଟ୍ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣା ସମୟରେ କାର୍ରେ ସୁନୀଲ ଏକାକୀ ଥିବା ଜଣାପଡ଼ିଛି।
ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାର୍ ଭିତରୁ ସୁନୀଲଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ପରେ ବେଲଗୁଣ୍ଠା ଥାନା ପୋଲିସ ଭଞ୍ଜନଗର ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି। ପ୍ରାଥମିକ ତଦନ୍ତରୁ କାର୍ର ଭାରସାମ୍ୟ ହରାଇବା ଯୋଗୁଁ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଯାନ୍ତ୍ରିକ ତ୍ରୁଟି କିମ୍ବା ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି। ଘଟଣାଟି ସମଗ୍ର ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି କରିଛି।