ଭୁବନେଶ୍ୱର: ରାଜ୍ୟରେ ମହାନଦୀ ସମେତ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲେ ସୁଦ୍ଧା ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ରାଜ୍ୟର ବନ୍ୟା ସ୍ଥିତି ଓ ରିଲିଫ କାର୍ଯ୍ୟର ସମୀକ୍ଷା କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।
୭ ଲକ୍ଷ ୫ ହଜାର ୨୩୨ ଲୋକ ପ୍ରଭାବିତ
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟର ୨୦ଟି ଜିଲ୍ଲାର ୧୦୦ଟି ବ୍ଲକ, ୫୩୯ଟି ଗ୍ରାମ ପଞ୍ଚାୟତ, ୧,୪୫୮ଟି ଗାଁ ଏବଂ ୧୪ଟି ପୌରାଞ୍ଚଳର ୧୭୬ଟି ୱାର୍ଡ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ମୋଟ ୭ ଲକ୍ଷ ୫ ହଜାର ୨୩୨ ଜଣ ଲୋକ ଏହି ବନ୍ୟା କବଳରେ ପଡ଼ିଛନ୍ତି। ପ୍ରଶାସନ ପକ୍ଷରୁ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରୁ ୧ ଲକ୍ଷ ୮୯ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ୫୨୦ଟି ରିଲିଫ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।
ବର୍ତ୍ତମାନ ସୁଦ୍ଧା ବନ୍ୟାଞ୍ଚଳରେ ୩୭୮.୧ ମେଟ୍ରିକ ଟନ୍ ଚାଉଳ ଏବଂ ୪୪.୫ ମେଟ୍ରିକ ଟନ୍ ଚୁଡ଼ା ଯୋଗାଇ ଦିଆଯାଇଛି। ଯେପର୍ଯ୍ୟନ୍ତ ମାଟି ନ ଶୁଖିଛି ଏବଂ ଲୋକମାନେ ସୁରକ୍ଷିତ ଭାବେ ନିଜ ଘରକୁ ନ ଫେରିଛନ୍ତି, ସେପର୍ଯ୍ୟନ୍ତ ଏହି ରିଲିଫ କେନ୍ଦ୍ରଗୁଡ଼ିକୁ ଚାଲୁ ରଖିବାକୁ ମନ୍ତ୍ରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦ଟି ସ୍ଥାନରେ ପଲିଥିନ୍ ବଣ୍ଟନ କରାଯିବା ସହ ୪.୫ କ୍ୱିଣ୍ଟାଲ ମେଟ୍ରିକ ଟନ୍ ଗୋ-ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଇଛି।
ନଦୀଗୁଡ଼ିକର ଜଳସ୍ତର ଓ କଟକ ପ୍ରତି ସତର୍କତା
ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, କୁଶଭଦ୍ରା ଓ ସୁବର୍ଣ୍ଣରେଖା ଆଦି ମୁଖ୍ୟ ନଦୀଗୁଡ଼ିକରେ ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। ମାତ୍ର କଟକ ଓ ଏହାର ପାଖାପାଖି ଅଞ୍ଚଳ ପ୍ରତି ବନ୍ୟା ଆଶଙ୍କା ରହିଛି। ମୁଣ୍ଡଳୀଠାରେ ପ୍ରାୟ ୯ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ମାତ୍ର ୨ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦ ଫୁଟ୍ ପାର୍ ହୋଇସାରିଥିବାରୁ ଗେଟ୍ ଖୋଲାଗଲେ କଟକ ଅଞ୍ଚଳ ପ୍ରଭାବିତ ହେବାର ସମ୍ଭାବନା ରହିଛି।
ନରାଜଠାରେ ୱାର୍ଣ୍ଣିଂ ଲେବେଲ ୨୫.୪୧ ମିଟର ଏବଂ ଡେଞ୍ଜର ଲେବେଲ ୨୬.୪୧ ମିଟର ରହିଥିବା ବେଳେ ଅପରାହ୍ନ ୨ଟା ସୁଦ୍ଧା ଜଳସ୍ତର ୨୬.୩୬ ମିଟରରେ ପହଞ୍ଚିଛି। ଅର୍ଥାତ ପାଣି ବିପଦ ସଙ୍କେତ ଆଡ଼କୁ ଆଗେଇ ଚାଲିଛି।
ଅଧିକାରୀଙ୍କୁ ଆଲର୍ଟ ଓ କ୍ଷତିପୂରଣ ପ୍ରତିଶ୍ରୁତି
ସ୍ଥିତିକୁ ଦୃଷ୍ଟିରେ ରଖି ଆଠଗଡ଼ ଓ ବଡ଼ମ୍ବା ଅଞ୍ଚଳର ପ୍ରଶାସନିକ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବନ୍ୟା ଜଳ ପ୍ରବେଶ କରିବା ପୂର୍ବରୁ ଲୋକଙ୍କୁ ନିରାପଦ ସ୍ଥାନକୁ ନେବା ପାଇଁ ସେମାନେ ନିରନ୍ତର ଚେଷ୍ଟା କରୁଛନ୍ତି। ବନ୍ୟା ଯୋଗୁଁ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ କ୍ଷତିଗ୍ରସ୍ତ ହୋଇଛି। ଏହି କ୍ଷତିର ସମ୍ପୂର୍ଣ୍ଣ ଭରଣପୋଷଣ ଓ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ରାଜସ୍ୱ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।