ଭଦ୍ରକ: ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିଛି। ଲଗାଣ ବର୍ଷା ଓ ଉପରମୁଣ୍ଡରୁ ଆସୁଥିବା ବନ୍ୟାଜଳ ଯୋଗୁଁ ଜିଲ୍ଲାକୁ ଦ୍ୱିତୀୟ ପର୍ଯ୍ୟାୟ ବନ୍ୟା ମାଡ଼ ମାରିଛି। କଂସବଂସା, ଗମେଇ, ନୂଆନଈ, କାଞ୍ଚୁଡ଼ି, ଢଳନଈ, ମନ୍ତେଇ, ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ବଢ଼ିବାରୁ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳମଗ୍ନ ହୋଇଛି।
ବାସୁଦେବପୁର ବ୍ଲକର ୩୬ଟି ପଞ୍ଚାୟତ ସହ ପୌରାଞ୍ଚଳର ବିଭିନ୍ନ ୱାର୍ଡ ବନ୍ୟାରେ ପ୍ରଭାବିତ ହୋଇଛି। ସୁଦର୍ଶନପୁର, ରତଙ୍ଗା, ସାରଙ୍ଗପୁର ଏବଂ ନରସିଂହପୁର ପଞ୍ଚାୟତର ଚନ୍ଦ୍ରଭାନୁପୁର ଭଳି ଅନେକ ଗାଁରେ ଘର ଭିତରକୁ ବନ୍ୟାପାଣି ପଶିଯାଇଛି। ଅନେକ ପରିବାର ରୋଷେଇ କରିପାରୁ ନାହାନ୍ତି, ପିଲାମାନଙ୍କ ପାଠପଢ଼ା ବନ୍ଦ ହୋଇଯାଇଛି ଏବଂ ଦୈନିକ ମଜୁରିଆମାନେ କାମ ହରାଇ ଦୁର୍ଦ୍ଦଶାରେ ପଡ଼ିଛନ୍ତି।
ସେପଟେ ଚାନ୍ଦବାଲି ବ୍ଲକର ଆରଡି, ଓଳଗ, ନାନ୍ଦପୁର ଓ ସୁନ୍ଦରପୁର ପଞ୍ଚାୟତର ସ୍ଥିତି ଅତ୍ୟନ୍ତ ସଙ୍କଟଜନକ। ଆଖୁଆପଦା ଓ ହଦଗଡ଼ରେ ଜଳସ୍ତର ବୃଦ୍ଧି ପରେ ବୈତରଣୀ ଓ ସାଳନ୍ଦୀ ନଦୀ ବିପଦ ସଙ୍କେତର ବହୁ ଉପରେ ପ୍ରବାହିତ ହେଉଛି। ଫଳରେ ୨୪ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ୧୦ ହଜାରରୁ ଅଧିକ ଲୋକ ବନ୍ୟା କଷ୍ଟ ଭୋଗୁଛନ୍ତି।
ଶହଶହ ଏକର ଧାନ ଚାଷ ବନ୍ୟାପାଣିରେ ବୁଡ଼ି ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ଗୃହପାଳିତ ପଶୁମାନେ ନଦୀବନ୍ଧ, ପୋଲ ଓ ଗାଁ ଦାଣ୍ଡରେ ଆଶ୍ରୟ ନେଇଥିବା ବେଳେ ଅନେକ ପରିବାର ମଧ୍ୟ ସୁରକ୍ଷିତ ସ୍ଥାନ ନପାଇ ଘର ଛାତ ଓ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଛନ୍ତି। କେତେକ ବିପନ୍ନ ଅଞ୍ଚଳରେ ଏପର୍ଯ୍ୟନ୍ତ ଉଦ୍ଧାରକାରୀ ଦଳ ପହଞ୍ଚିନଥିବା ଅଭିଯୋଗ ହୋଇଛି।
ବୋଡକ ଓ ଷାଠିବାଙ୍କୁଡା ନିକଟରେ ବୈତରଣୀ ନଦୀ କୂଳ ଲଙ୍ଘିବା ପରେ ବନ୍ୟାପାଣି ରାଜପଥ ଓ ଚାଷଜମିକୁ ଏକାକାର କରିଦେଇଛି। କୁଆଖିଆ–ଆଖଣ୍ଡଳମଣି ୨୦ ନମ୍ବର ଜାତୀୟ ରାଜପଥ ଉପରେ ପ୍ରାୟ ୨ କିଲୋମିଟର ଯାଏଁ ୪ରୁ ୫ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଛି। ଭଦ୍ରକ–ଆଖଣ୍ଡଳମଣି–ଚାନ୍ଦବାଲି–ମତୋ ମୁଖ୍ୟ ରାସ୍ତାରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି।
ବିଦ୍ୟାଳୟ, ବସ୍ଷ୍ଟାଣ୍ଡ, ପୁଲିସ ଫାଣ୍ଡି, ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ବନ୍ୟାପାଣି ପଶିଯାଇଥିବାରୁ ଜନଜୀବନ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ସ୍ଥାନୀୟ ଲୋକମାନେ ତୁରନ୍ତ ରିଲିଫ୍, ଉଦ୍ଧାର ସହାୟତା ଓ ସ୍ଥାୟୀ ଡ୍ରେନେଜ୍ ବ୍ୟବସ୍ଥା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି।