ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ମନ୍ଦିରକୁ ନେଇ ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ମହାନଦୀରେ ଜଳସ୍ତର ଦ୍ରୁତ ଗତିରେ ବଢ଼ୁଥିବାରୁ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିରକୁ ୪୮ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ କରାଯାଇଛି। ଗୁରୁବାର ଅପରାହ୍ଣ ୪ଟାରୁ ଏହି କଟକଣା ଲାଗୁ ହୋଇଥିବା ବେଳେ ଆସନ୍ତା ଅଗଷ୍ଟ ୧ ତାରିଖ ଅପରାହ୍ଣ ୪ଟା ପର୍ଯ୍ୟନ୍ତ କୌଣସି ଶ୍ରଦ୍ଧାଳୁଙ୍କୁ ପୀଠକୁ ଯିବାକୁ ଅନୁମତି ମିଳିବ ନାହିଁ।
ଆଠଗଡ଼ ପ୍ରଶାସନ ସୂଚନା ଅନୁଯାୟୀ, ଉପରମୁଣ୍ଡରେ ଲଗାଣ ବର୍ଷା ଏବଂ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ ଯୋଗୁଁ ମହାନଦୀରେ ଜଳପ୍ରବାହ ବଢ଼ିଛି। ଫଳରେ ନଦୀ ମଝିରେ ଥିବା ବାବା ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ମଞ୍ଚେଶ୍ୱର ଗାଁର କଂକ୍ରିଟ୍ ସେତୁ ଏବଂ ଆଖପାଖ ଅଞ୍ଚଳରେ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସେତୁ ଉପରେ ମଧ୍ୟ ସାଧାରଣ ଲୋକଙ୍କ ଯାତାୟାତ ବନ୍ଦ କରାଯାଇଛି।
ପ୍ରଶାସନ ସ୍ପଷ୍ଟ କରିଛି ଯେ, ଏହି କଟକଣା କେବଳ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ। ତେଣୁ କୌଣସି ବ୍ୟକ୍ତି ଏହି ସମୟ ମଧ୍ୟରେ ପୀଠକୁ ଯିବାକୁ ଚେଷ୍ଟା ନ କରିବାକୁ ଅନୁରୋଧ କରାଯାଇଛି। ନଦୀର ଜଳସ୍ତର ଏବଂ ପାଣିପାଗ ସ୍ଥିତି ଉପରେ ଲଗାତାର ନଜର ରଖାଯାଉଛି। ପରିସ୍ଥିତି ସୁଧୁରିଲେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
ଅନ୍ୟପଟେ, ଶ୍ରଦ୍ଧାଳୁଙ୍କ ପ୍ରବେଶ ବନ୍ଦ ଥିଲେ ମଧ୍ୟ ମନ୍ଦିରର ନିତ୍ୟକାନ୍ତି, ପୂଜାର୍ଚ୍ଚନା ଓ ଅନ୍ୟାନ୍ୟ ସେବାନୀତି ପୂର୍ବଭଳି ଜାରି ରହିବ ବୋଲି ଦେବୋତ୍ତର ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେବାୟତମାନେ ନିୟମ ଅନୁସାରେ ସମସ୍ତ ନୀତିକାନ୍ତି ସମ୍ପାଦନ କରିବେ।
ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ଗୁଜବରେ ବିଶ୍ୱାସ ନ କରି ସରକାରୀ ସୂଚନାକୁ ଅନୁସରଣ କରିବା ସହ ସୁରକ୍ଷା ନିୟମ ପାଳନ କରିବାକୁ ଅପିଲ୍ କରାଯାଇଛି। ମହାନଦୀରେ ଜଳସ୍ତର ସ୍ୱାଭାବିକ ହେବା ପରେ ପୁଣିଥରେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଖୋଲାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।