ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭିଭିଆଇପିରେ ବ୍ଲୁ ବୁକ୍ ନିର୍ଦ୍ଦେଶାବଳୀ ଅନୁସାରେ ସୁରକ୍ଷା ବ୍ୟବସ୍ଥା କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛି ।
ବୈଠକରେ ରାଷ୍ଟ୍ରପତିଙ୍କ ସୁରକ୍ଷା, ନିୟମିତ ଯାଞ୍ଚ, ଟ୍ରାଫିକ୍ ବ୍ୟବସ୍ଥା, ପୁଲିସ ପାଟ୍ରୋଲିଂ ଉପରେ ଡିଜିପି ଗୁରୁତ୍ୱାରୋପ କରିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତବେଳେ ନୋଡାଲ୍ ଅଫିସର ନିଯୁକ୍ତ କରାଯିବ । ଯେଉଁମାନେ ସମସ୍ତ ସୁରକ୍ଷା ବ୍ୟବସ୍ଥା ପରିଚାଳନା ଏବଂ ସମନ୍ୱୟ ରକ୍ଷା କରିବେ । ଏହା ସହିତ ଡ୍ରୋନ୍ ସର୍ଭିଲାନ୍ସ ଓ କାର୍ଯ୍ୟକ୍ରମସ୍ଥଳୀର ନିୟମିତ ଯାଞ୍ଚ ଉପରେ ଗୁରୁତ୍ୱ ଦେଇଛନ୍ତି ।
ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଆର୍ ପି କୋଚେ, ଆଇନ ଶୃଙ୍ଖଳା ଏଡିଜିପି ସଞ୍ଜୟ କୁମାର, ସାପ୍ ଏଡିଜିପି ରାଜେଶ କୁମାର, କଟକ-ଭୁବନେଶ୍ୱର ପୁଲିସ ଆୟୁକ୍ତ ଦେବଦତ୍ତ ସିଂହ, ପୂର୍ବତଟ ରେଳ ବିଭାଗର ପ୍ରମୁଖ ମୁଖ୍ୟ ସୁରକ୍ଷା କମିଶନର ଆଲୋକ ବୋହରା, ଆଇଜିପି ସତ୍ୟଜିତ ନାଏକ, କ୍ରାଇମବ୍ରାଞ୍ଚ ସିଆଇଡି ଏସପି ବିବେକାନନ୍ଦ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ ।