ଭୁବନେଶ୍ୱର: ରାଜ୍ୟରେ ବର୍ଷା କମିଥିବା ବେଳେ ପୁଣି ଏକ ନୂଆ ଘୂର୍ଣ୍ଣିବଳୟ ସକ୍ରିୟ ହେବାକୁ ଯାଉଛି। ଆସନ୍ତା ଅଗଷ୍ଟ ୮ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୧୦ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ।
ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୭ ତାରିଖରୁ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ। ବିଶେଷକରି ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି। ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ଦିଗରୁ ପବନ ବହୁଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି। ଆଜି ପାଣିପାଗ ବିଭାଗ ପକ୍ଷରୁ ୨୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ମହାନଦୀରେ ବନ୍ୟା ଆଶଙ୍କା ଟଳିଛି
ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ ସୂଚନା ଅନୁଯାୟୀ, ମହାନଦୀରେ ବର୍ତ୍ତମାନ କୌଣସି ବନ୍ୟା ଆଶଙ୍କା ନାହିଁ। ଉପରମୁଣ୍ଡରୁ ଜଳ ପ୍ରବାହ ହ୍ରାସ ପାଇଥିବା ବେଳେ ସମସ୍ତ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। ତେବେ ଆଗାମୀ ସ୍ଥିତିକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରକୁ ଏସଓପି (SOP) ଅନୁଯାୟୀ ଆଗାମୀ ୩ ଦିନ ଭିତରେ ଆବଶ୍ୟକ ମାତ୍ରାରେ ପାଣି ଛାଡ଼ି ଖାଲି କରାଯିବ।
ତଳିଆ ଅଞ୍ଚଳରେ ପାଣି ଜମି ରହିଥିବାରୁ ଦୁର୍ଦ୍ଦଶା
ବନ୍ୟା ବିପଦ ଟଳିଥିଲେ ମଧ୍ୟ ରାଜ୍ୟର ବିଭିନ୍ନ ତଳିଆ ଅଞ୍ଚଳରେ ଏବେ ବି ପାଣି ଜମି ରହିଛି। ପଛୁଆ ପାଣି ମାଡ଼ିଆସିବାରୁ ଚାଷଜମି ଏବଂ ଗ୍ରାମାଞ୍ଚଳ ଗୁଡ଼ିକ ପ୍ରଭାବିତ ହୋଇଛି କଟକର ବାଙ୍କୀ, ତିଗିରିଆ ଓ ଆଠଗଡ଼, ଜଗତସିଂହପୁରର କୁଜଙ୍ଗ ଓ ତିର୍ତ୍ତୋଲ, କେନ୍ଦ୍ରାପଡ଼ାର ବିଭିନ୍ନ ବ୍ଳକର ତଳିଆ ଅଞ୍ଚଳ ଓ ପୁରୀର କଣାସ ଏବଂ ଖୋର୍ଦ୍ଧାର କିଛି ଅଞ୍ଚଳରେ ମଧ୍ୟ ପାଣି ପଶିଛି।
ଏସଆରସିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ନରାଜରେ ମହାନଦୀ ଜଳସ୍ତର ବିପଦ ସଙ୍କେତ ତଳକୁ ଖସିଛି। ସେହିପରି ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ ଏବଂ ଜଳକା ନଦୀର ଜଳସ୍ତର ମଧ୍ୟ ହ୍ରାସ ପାଉଛି। ତଥାପି ଲଗାଣ ବର୍ଷା ଓ ବନ୍ୟା ଯାେଗୁଁ ରାଜ୍ୟର ୧୫ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି।
ଭଦ୍ରକ, ଯାଜପୁର, ବାଲେଶ୍ୱର ଓ କେନ୍ଦୁଝରରେ ବନ୍ୟାଜଳ କମୁଥିଲେ ମଧ୍ୟ ବିପନ୍ନଙ୍କ ଦୁଃଖ ଏଯାଏଁ କମିନାହିଁ। ବିଶେଷକରି ବାଲେଶ୍ୱର ଜିଲ୍ଲାରେ ୧ ଲକ୍ଷ ୪୭ ହଜାରରୁ ଅଧିକ ଜନସାଧାରଣ ପ୍ରଭାବିତ ହୋଇଥିବା ବେଳେ ୫୭ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।