ବନ୍ୟାରେ ବେହାଲ କେନ୍ଦ୍ରାପଡ଼ା ଜିଲ୍ଲାରୁ ସୋମବାର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ନଦୀରେ ଗାଧୋଇବାକୁ ଯାଇଥିବା ଜଣେ ୪୬ ବର୍ଷୀୟା ମହିଳାଙ୍କୁ କୁମ୍ଭୀର ଆକ୍ରମଣ କରି ପାଣି ଭିତରକୁ ଟାଣିନେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
ମୃତ ମହିଳା ଜଣକ ହେଲେ ଆଳପୁଆ ପଞ୍ଚାୟତ ଅନ୍ତର୍ଗତ ଦାମଦରପାଟଣା ଗାଁର ସୁଚିତ୍ରା ଦାସ। ଗତ ଏକ ସପ୍ତାହ ଧରି ଗାଁଟି ବନ୍ୟା ପାଣିରେ ବୁଡ଼ି ରହିଥିବା ବେଳେ ସୋମବାର ଭୋର ସମୟରେ ସୁଚିତ୍ରା ନିକଟସ୍ଥ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ସେହି ସମୟରେ ଏକ କୁମ୍ଭୀର ତାଙ୍କୁ ହଠାତ୍ ଆକ୍ରମଣ କରି ପାଣି ଭିତରକୁ ଟାଣିନେଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।
ଘଟଣାସ୍ଥଳରୁ ସୁଚିତ୍ରାଙ୍କ ଚପଲ, ମୋବାଇଲ ଫୋନ୍, ଟର୍ଚ୍ଚ ଓ ସାବୁନ ଉଦ୍ଧାର ହୋଇଥିବା ବେଳେ ତାଙ୍କର କୌଣସି ପତ୍ତା ମିଳିନଥିଲା। ଖବର ପାଇ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବିଭାଗର ଟିମ୍ ନଦୀରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଖବର ଲେଖାହେବା ସୁଦ୍ଧା ତାଙ୍କୁ ଠାବ କରାଯାଇପାରିନଥିଲା।
ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜଙ୍ଗଲୀ ଜନ୍ତୁଙ୍କ ଆତଙ୍କ ନେଇ ଅସନ୍ତୋଷ ଦେଖାଦେଇଛି। ବାରମ୍ବାର କୁମ୍ଭୀର ଓ ବନ୍ୟଜନ୍ତୁ ଆକ୍ରମଣ ଘଟୁଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କିମ୍ବା ପ୍ରତିଷେଧକ ବ୍ୟବସ୍ଥା ନିଆଯାଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ସ୍ଥାନୀୟଙ୍କ କହିବା ଅନୁସାରେ, ବନ୍ୟା ପରିସ୍ଥିତି ସମୟରେ ଜିଲ୍ଲାପାଳଙ୍କ ଗସ୍ତ ବେଳେ ଏହି ସମସ୍ୟା ଉଠାଯାଇଥିଲା। ସେତେବେଳେ ବନ ବିଭାଗ ସଚେତନତା ଅଭିଯାନ ଚଳାଇବ ବୋଲି ଆଶ୍ୱାସନ ମିଳିଥିଲା। କିନ୍ତୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଲୋକଙ୍କ ମଧ୍ୟରେ କ୍ଷୋଭ ବଢ଼ିଛି। ଏହି ଘଟଣା ପରେ ବନ୍ୟା ପ୍ରଭାବିତ ଅଞ୍ଚଳରେ କୁମ୍ଭୀର ଭୟ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି।