ଆଠଗଡ଼: ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ମନ୍ଦିରରେ ଭକ୍ତଙ୍କ ଅପାର ସମାଗମ ଦେଖିବାକୁ ମିଳିଛି। ଭୋରରୁ ହଜାର ହଜାର କାଉଡ଼ିଆ ଓ ଶ୍ରଦ୍ଧାଳୁ ମାନସିକ ପୂରଣ ପାଇଁ ପବିତ୍ର ଜଳ ନେଇ ବାବାଙ୍କ ପୀଠରେ ପହଞ୍ଚି ଜଳଲାଗି କରିଛନ୍ତି।
ସକାଳ ପ୍ରାୟ ୪ଟାରେ ମନ୍ଦିରର ପହଡ଼ ଖୋଲାଯିବା ପରେ ପାରମ୍ପରିକ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ଏହାପରେ ଶ୍ରାବଣୀ ଲିଙ୍ଗରେ କାଉଡ଼ିଆମାନେ ଭକ୍ତିଭାବର ସହିତ ପବିତ୍ର ଜଳ ଅର୍ପଣ କରିଥିଲେ। ମନ୍ଦିର ପରିସରରେ 'ହର ହର ମହାଦେବ' ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା।
ମହାନଦୀ ମଝିରେ ଅବସ୍ଥିତ ଧବଳେଶ୍ୱର ମନ୍ଦିରକୁ ବହୁ ସଂଖ୍ୟକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଘାଟରେ ପୋଲିସ, ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ୍କୁ ମୁତୟନ କରାଯାଇଛି, ଯାହାଦ୍ୱାରା କୌଣସି ଅଘଟଣକୁ ଏଡ଼ାଇ ହେବ।
ଭକ୍ତମାନେ ସୁରୁଖୁରୁରେ ଜଳଲାଗି କରିପାରିବେ ସେଥିପାଇଁ ମନ୍ଦିର ପରିସରରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବା ସହ ଶୃଙ୍ଖଳିତ ଧାଡ଼ିରେ ଦର୍ଶନ ଓ ପୂଜାର ସୁବିଧା କରାଯାଇଛି। ସ୍ୱେଚ୍ଛାସେବୀ ଏବଂ ପ୍ରଶାସନିକ କର୍ମଚାରୀମାନେ ମଧ୍ୟ ଭକ୍ତଙ୍କୁ ସହଯୋଗ କରୁଥିବା ଦେଖିବାକୁ ମିଳିଛି।
ଶ୍ରାବଣର ପ୍ରଥମ ସୋମବାରରେ ବାବା ଧବଳେଶ୍ୱରଙ୍କ ଦର୍ଶନ ଓ ଜଳଲାଗି ପାଇଁ ଭକ୍ତଙ୍କ ମଧ୍ୟରେ ଅସୀମ ଉତ୍ସାହ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବାବେଳେ, ସମଗ୍ର ପୀଠ ଶିବଭକ୍ତଙ୍କ 'ହର ହର ମହାଦେବ' ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି।