ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତି କ୍ରମଶଃ ସୁଧୁରିବାରେ ଲାଗିଛି। ତଥାପି ସମଗ୍ର ମୌସୁମୀ ମାସ ଓଡ଼ିଶା ପାଇଁ ବିପଦପୂର୍ଣ୍ଣ ହୋଇଥିବାରୁ ସତର୍କ ରହିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପରାମର୍ଶ ଦେଇଛନ୍ତି। ଆଗାମୀ ଦିନର ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ସେ ସୂଚନା ଦେଇଛନ୍ତି।
ବନ୍ୟା ପ୍ରକୋପରେ ରାଜ୍ୟର ମୋଟ ୨୩ଟି ଜିଲ୍ଲା ପ୍ରଭାବିତ ହୋଇଛି। ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ମହାନଦୀର ଜଳ ନିଷ୍କାସନ ଯୋଗୁଁ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ କଟକ ଜିଲ୍ଲା ମଧ୍ୟ ପ୍ରଭାବିତ ହୋଇଛି। ବନ୍ୟା ଯੋଗୁଁ ବ୍ୟାପକ ଚାଷ ଜମି ଏବଂ ପନିପରିବା ନଷ୍ଟ ହେବା ସହିତ ଅନେକ ଘରଦ୍ୱାର ଭାଙ୍ଗିଯାଇଛି ଏବଂ କୃଷି ଓ ରାଜସ୍ୱ ବିଭାଗ ମିଳିତ ଭାବେ ଏହାର ଆକଳନ କାମ ଆରମ୍ଭ କରିଛନ୍ତି।
ଏଭଳି ଜଟିଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟକୁ ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ପ୍ରଦାନ କରିଛନ୍ତି। କ୍ଷୟକ୍ଷତି ଆକଳନକୁ ଅତି ସମ୍ବେଦନଶୀଳ ଓ ମାନବୀୟ ଦୃଷ୍ଟିକୋଣରୁ ବିଚାର କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପାଣି ଛାଡ଼ିବାର ୭୨ ଘଣ୍ଟା ଭିତରେ ରାଜସ୍ୱ ଅଧିକାରୀମାନେ ଗାଁକୁ ଗାଁ ଯାଇ ରିପୋର୍ଟ ପ୍ରସ୍ତୁତ କରିବେ। ଜଳବାହିତ ରୋଗରୁ ରକ୍ଷା ପାଇବା ପାଇଁ ବୋରୱେଲ, ବନ୍ଧ ଏବଂ କୂଅ ସମେତ ସମସ୍ତ ଜଳ ଉତ୍ସଗୁଡ଼ିକୁ ବିଶୋଧନ କରାଯାଉଛି ଏବଂ ସାପ କାମୁଡ଼ା ଇଞ୍ଜେକ୍ସନ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି।
ବନ୍ୟାରେ କେବଳ ଘରଡ଼ିଆ କିମ୍ବା ଫସଲ ନୁହେଁ, ବରଂ ଶକ୍ତି ବିଭାଗ ସମେତ ଅନେକ ସରକାରୀ ବିଭାଗ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ତୁରନ୍ତ କ୍ଷୟକ୍ଷତି ଆକଳନ ସହିତ ଅଙ୍ଗନୱାଡ଼ି କେନ୍ଦ୍ର ଏବଂ ସ୍କୁଲଗୁଡ଼ିକର କ୍ଷତିଗ୍ରସ୍ତ ରିପୋର୍ଟ ମଗାଯାଇଛି ଏବଂ ଏଥିପାଇଁ ସ୍ୱତନ୍ତ୍ର ଅନୁଦାନ ଯୋଗାଇଦିଆଯିବ। ଜଳ ସମ୍ପଦ ବିଭାଗ ପକ୍ଷରୁ ଭଙ୍ଗା ଘାଇଗୁଡ଼ିକୁ ମରାମତି କରାଯିବା ସହ ଭବିଷ୍ୟତରେ ଏଭଳି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଦୃଢ଼ ଭିତ୍ତିଭୂମି ବ୍ୟବସ୍ଥା କରିବାକୁ କୁହାଯାଇଛି।
ଗତ ଶନିବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ସମସ୍ତ ସ୍ଥିତି ସମ୍ପର୍କରେ ମନ୍ତ୍ରୀମାନଙ୍କୁ ଅବଗତ କରାଯାଇଛି ଏବଂ ସମସ୍ତ ଦାୟିତ୍ୱପ୍ରାପ୍ତ ମନ୍ତ୍ରୀମାନେ ନିଜ ନିଜ ପ୍ରଭାବିତ ଜିଲ୍ଲା ପରିଦର୍ଶନ କରି କ୍ଷତିର ସମୀକ୍ଷା କରିବେ। ଭବିଷ୍ୟତରେ ବନ୍ୟାର ପ୍ରକୋପକୁ ହ୍ରାସ କରିବା ପାଇଁ ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଏକ ସ୍ୱତନ୍ତ୍ର ଡିଜାଇନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ବୟାନବାଜି ନ କରି ପ୍ରକୃତ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରିଛନ୍ତି।