ମୟୁରଭଞ୍ଜ: ଝିଅ ଘରକୁ ଯାଇଥିଲେ ଆଉ ଏପଟେ ଲୁଟେରା ଘରୁ ସର୍ବସ୍ୱ ଲୁଟିନେଲେ । ପ୍ରାୟ ୬୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ସହିତ ନଗଦ ୪ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା। ଆଉ ରାତିର ଅନ୍ଧାର ଭିତରେ ନୁହେଁ ସ୍ପଷ୍ଟ ଦିବାଲୋକରେ ହୋଇଛି ଏଭଳି ବଡ଼ ଧରଣର ଲୁଟ । ଏଭଳି ଘଟଣା କପ୍ତିପଦା ଥାନା ତେନ୍ତୁଳିସାହିରେ ଘଟିଛି ।
ତେନ୍ତୁଳିସାହି ଗ୍ରାମର ମଧୁସୂଦନ ପତି ଏବଂ ତାଙ୍କ ସ୍ତ୍ରୀ ଗତକାଲି ସକାଳେ ଝିଅ ଘରକୁ ବୁଲିବାକୁ ଯାଇଥିଲେ । ସନ୍ଧ୍ୟାରେ ଘରକୁ ଫେରିବା ପରେ ଘର ଅବସ୍ଥା ଦେଖି ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଲୁଟେରାମାନେ ଘରେ କଳାକନା ବୁଲେଇ ଦେଇଛନ୍ତି । ଲୁଟେରାମାନେ ଘର ବାହାର ଗେଟ ତାଲା ଭାଙ୍ଗି ଘର ଭିତରେ ପଶିଥିଲେ ଏବଂ ଘର ଭିତରେ ଥିବା ୩ ଗୋଟି ଗଡ଼ରେଜ ଏବଂ ଆଲମାରୀ ଭାଙ୍ଗିବା ସହିତ ସେଥିରେ ଥିବା ବ୍ୟାଗ ଖୋଲି ଲୁଟ କରିଛନ୍ତି। ଯେଉଁଥିରେ ପାଖାପାଖି ୬୦ ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ୪ ଲକ୍ଷ ଟଙ୍କା ମଧ୍ୟ ରହିଛି । ମଧୁସୂଦନ ହାତୀ କପ୍ତିପଦା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ତେବେ ସ୍ପଷ୍ଟ ଦିବାଲୋକରେ ଏଭଳି ଲୁଟ୍ ହେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିରେ କେହି ଜାଣିଥିବା ଲୋକେ ସାମିଲ ଥିବା ଅନୁମାନ କରାଯାଉଛି । ତଥାପି ପୁଲିସ ତଦନ୍ତ ପରେ ଏହା ଉପରେ ପରଦା ହଟିବ ।