ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ସମସ୍ତ ଶୈବପୀଠରେ ପ୍ରବଳ କାଉଡ଼ିଆଙ୍କ ଭିଡ଼ । କିନ୍ତୁ ଏପଟେ ଭୁବନେଶ୍ୱର ଲିଙ୍ଗରାଜ ପୀଠରେ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ନୀତିକାନ୍ତି ବନ୍ଦ ରହିଛି । ଫଳରେ ବିନା କୌଣସି ପୂଜାରେ ଶ୍ରଦ୍ଧାଳୁମାନେ ଜଳଲାଗି କରି ଫେରୁଛନ୍ତି ।
ଶ୍ରାବଣ ପାଉଣା ବଣ୍ଟନକୁ ନେଇ ବ୍ରାହ୍ମଣ ଓ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ରବିବାର ସନ୍ଧ୍ୟାରୁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଛି । ଆଜି ସକାଳୁ ବଡୁ ସେବକମାନେ ଆସି ନିଜର ନୀତି ସମ୍ପାଦନ କରିଥିଲେ, କିନ୍ତୁ ପୂଜାପଣ୍ଡା ସେବାୟତମାନେ ନ ଆସିବାରୁ ପୂଜାର୍ଚ୍ଚନା ହୋଇପାରିନାହିଁ ।
ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁଙ୍କ କହିବା ଅନୁସାରେ, ୧୯୯୫ ମସିହାରେ ଶ୍ରାବଣ ମାସରେ ବଡ଼ୁ ସେବାୟତମାନେ ଅଧା ପାଉଣା ନେବେ ବୋଲି ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେଇଥିଲା । କିନ୍ତୁ ପୂଜାପଣ୍ଡା ସେବାୟତମାନେ ତାହା କରାଇ ଦେଉନଥିଲେ । ୧୯୯୧ ମସିହାରୁ ବଡ଼ୁ ସେବାୟତମାନେ ତାଙ୍କର ପ୍ରାପ୍ୟ ପାଇଁ ଦାବି କରି ଆସୁଥିଲେ । ୨୦୨୪ରେ ମାନ୍ୟବର ହାଇକୋର୍ଟ ପୂଜାପଣ୍ଡାଙ୍କ ଆବେଦନକୁ ଖାରଜ କରିଥିଲେ । ଶେଷରେ ବଡ଼ୁ ସେବାୟତଙ୍କୁ ସେମାନଙ୍କ ପାଉଣା ଦେବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା । କିନ୍ତୁ ପୂଜାପଣ୍ଡା ଏହି ନିଷ୍ପତ୍ତିକୁ ବିରୋଧ କରି ଆଜି ନୀତିକାନ୍ତି ବନ୍ଦ ରଖିଥିବା ସେ କହିଛନ୍ତି ।
ଏକାମ୍ର ବିଧାୟକ ବାବୁ ସିଂ ପୂଜା ପଣ୍ଡା ସେବାୟତଙ୍କ ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି । ଶ୍ରାବଣ ମାସ ସୋମବାରରେ ଏଭଳି କରିବାଟା ଭଲ ପରମ୍ପରା ନୁହେଁ । ଏହାକୁ ନେଇ ଆଲୋଚନା କରିବା ଉଚିତ ବୋଲି ବିଧାୟକ ପରାମର୍ଶ ଦେଇଛନ୍ତି ।