ଭୁବନେଶ୍ୱର: ଆଜିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଅପରାହ୍ନ ୨ଟା ୨୦ ମିନିଟ୍ ସମୟରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ଏହା ପରେ କଟକ ମୁଣ୍ଡଳୀରେ ଥିବା ଜଗଦଗୁରୁ କ୍ରୁପାଳୁ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି । କାର୍ଯ୍ୟକ୍ରମରେ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ବିଶିଷ୍ଟ ଅତିଥିମାନେ ଯୋଗଦେବେ।
ରାଷ୍ଟ୍ରପତି ଆଜି ଲୋକଭବନରେ ରାତି କାଟିବା ପରେ ଆସନ୍ତାକାଲି ବ୍ରହ୍ମୁପର ଗସ୍ତରେ ବାହାରିବେ । ଭୁବନେଶ୍ୱରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ସେ ଟ୍ରେନ୍ରେ ଯାତ୍ରା କରିବେ । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତୀର୍ଥସ୍ଥଳୀ ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ରାଷ୍ଟ୍ରପତି ଅଗଷ୍ଟ ୫ରେ ଦିଲ୍ଲୀ ଫେରିଯିବେ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବ୍ଲୁ ବୁକ୍ ନିୟମାବଳୀ ଅନୁସାରେ ଏୟାରପୋର୍ଟଠୁ ରେଳ ଷ୍ଟେସନ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୁରକ୍ଷା ଦାୟିତ୍ୱରେ ରହିବେ ପ୍ରାୟ ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ସେହିପରି ଭୁବନେଶ୍ୱର ଓ ବ୍ରହ୍ମପୁର ରେଳ ଷ୍ଟେସନରେ ପୂର୍ବତଟ ରେଳ ବିଭାଗର ସମନ୍ୱୟରେ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।