ଭୁବନେଶ୍ୱର: ରାଜ୍ୟର ଦିବ୍ୟାଙ୍ଗ ବା ଭିନ୍ନକ୍ଷମମାନଙ୍କ ପାଇଁ ଏକ ବଡ଼ ତଥା ଖୁସିର ଖବର ଆସିଛି। ରାଜ୍ୟ ସରକାର ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ଯୋଜନାରେ ବଡ଼ଧରଣର ସଂଶୋଧନ କରିଛନ୍ତି। ଏହି ଯୋଜନାର ଗାଇଡଲାଇନ୍ ବଦଳିବା ସହିତ ପରିବାରର ବାର୍ଷିକ ଆୟ ସୀମାକୁ ବୃଦ୍ଧି କରାଯାଇଛି, ଯାହାଦ୍ୱାରା ବର୍ତ୍ତମାନ ଅଧିକରୁ ଅଧିକ ହିତାଧିକାରୀ ଏହାର ସୁବିଧା ପାଇପାରିବେ।
ନୂତନ ଗାଇଡଲାଇନ୍ ଅନୁଯାୟୀ, ବର୍ତ୍ତମାନ ଯେଉଁ ପରିବାରର ବାର୍ଷିକ ଆୟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି, ସେହି ପରିବାରର ଦିବ୍ୟାଙ୍ଗମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ସହାୟକ ଉପକରଣ ଏବଂ ଶିକ୍ଷାବୃତ୍ତି ଯୋଗାଇ ଦିଆଯିବ। ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ଆୟ ସୀମା ମାତ୍ର ୨ ଲକ୍ଷ ୪୦ ହଜାର ଟଙ୍କା ଥିଲା।
ସରକାରଙ୍କ ଏହି ସଂଶୋଧିତ ନିୟମ ଅନୁସାରେ, ପରିବାରର ଆୟ ବୃଦ୍ଧି ପାଇଲେ ମଧ୍ୟ ସେମାନଙ୍କୁ ଆଂଶିକ ରିହାତିରେ ସୁବିଧା ମିଳିବ। ଯେଉଁ ପରିବାରର ବାର୍ଷିକ ଆୟ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ରହିଛି, ସେମାନଙ୍କୁ ଭିନ୍ନକ୍ଷମ ଉପକରଣର ମୋଟ ମୂଲ୍ୟର ମାତ୍ର ୨୫ ପ୍ରତିଶତ ଅର୍ଥ ଦେବାକୁ ପଡ଼ିବ।
ସେହିପରି, ଯେଉଁ ପରିବାରଗୁଡ଼ିକର ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କାରୁ ଅଧିକ, ସେମାନଙ୍କୁ ମୋଟ ଖର୍ଚ୍ଚର ୫୦ ପ୍ରତିଶତ ବହନ କରିବାକୁ ହେବ। (ପୂର୍ବରୁ ୨.୪୦ ଲକ୍ଷରୁ ଅଧିକ ଆୟ ଥିବା ପରିବାରକୁ ୫୦ ପ୍ରତିଶତ ରିହାତି ମୂଲ୍ୟରେ ଉପକରଣ ମିଳୁଥିଲା)।
କେବଳ ଉପକରଣ ନୁହେଁ, ଶିକ୍ଷାବୃତ୍ତି କ୍ଷେତ୍ରରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଛି। ଦଶମ ଶ୍ରେଣୀ ପରବର୍ତ୍ତୀ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଭିନ୍ନକ୍ଷମମାନଙ୍କ ସନ୍ତାନମାନଙ୍କ ପାଇଁ ପୂର୍ବରୁ ପରିବାରର ବାର୍ଷିକ ଆୟ ସୀମା ୨.୪୦ ଲକ୍ଷ ଟଙ୍କାରୁ କମ୍ ରହିଥିବାବେଳେ, ଏବେ ସେହି ଆୟ ସୀମାକୁ ବୃଦ୍ଧି କରାଯାଇ ୫ ଲକ୍ଷ ଟଙ୍କା କରାଯାଇଛି।