ମିଶରରେ ସୋମବାର ସକାଳୁ ୫.୪ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି, ଯାହାର କେନ୍ଦ୍ରସ୍ଥଳ ସ୍ୱେଜ୍ ସହର ନିକଟରେ ଥିଲା। ଏହାର ପ୍ରଭାବରେ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ କମ୍ପନ ସୃଷ୍ଟି ହୋଇଥିଲା, ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଜୀବନହାନି କିମ୍ବା ବଡ଼ ଧରଣର କ୍ଷତିସାଧନର ଖବର ମିଳିନାହିଁ। ଅନ୍ୟପଟେ, ମ୍ୟାଁମାରରେ ମଧ୍ୟ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଏଠାରେ ମଧ୍ୟ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।
ମିଶର ନିକଟରେ ସକାଳୁ ଆସିଥିବା ୫.୪ ତୀବ୍ରତାର ଭୂକମ୍ପ ଯୋଗୁଁ ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ଦୋହଲି ଯାଇଥିଲା। ଏହି ଭୂକମ୍ପ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା। ସେହିପରି ମ୍ୟାଁମାରରେ ଆସିଥିବା ଭୂକମ୍ପର ତୀବ୍ରତା ୩.୩ ଥିଲା। ମିଶରୀୟ ଅଧିକାରୀଙ୍କ ସୂଚନାନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ସ୍ୱେଜ୍ ସହରଠାରୁ ୩୮ କିଲୋମିଟର ଦୂରରେ ଥିଲା। ପୂର୍ବରୁ ଜର୍ମାନ ରିସର୍ଚ୍ଚ ସେଣ୍ଟର ଏହାକୁ ସ୍ୱେଜ୍ ନିକଟରେ ବୋଲି ଦର୍ଶାଇଥିବା ବେଳେ EMSC ଏହା ସ୍ୱେଜ୍ଠାରୁ ପ୍ରାୟ ୨୯ କିଲୋମିଟର ଉତ୍ତର-ପଶ୍ଚିମରେ ଥିବା ପ୍ରକାଶ କରିଥିଲା।
ଭୂକମ୍ପ ପରେ ମିଶରର ‘ରେଡ୍ କ୍ରିସେଣ୍ଟ’ (Red Crescent) ପ୍ରକମ୍ପିତ ଅଞ୍ଚଳଗୁଡ଼ିକରେ ଆପାତକାଳୀନ ଯୋଜନା (Emergency Plan) ସକ୍ରିୟ କରିଦେଇଛି। ରେଡ୍ କ୍ରିସେଣ୍ଟ ପକ୍ଷରୁ ସ୍ଥାନୀୟ ନାଗରିକଙ୍କୁ କ୍ଷତିଗ୍ରସ୍ତ ହୋଇଥିବା ବିଲ୍ଡିଂଗୁଡ଼ିକଠାରୁ ଦୂରରେ ରହିବାକୁ ଏବଂ କେବଳ ସରକାରୀ ସୂଚନା ଉପରେ ବିଶ୍ୱାସ କରିବାକୁ ନିବେଦନ କରାଯାଇଛି।
ଆପାତକାଳୀନ ସ୍ଥିତି ଘୋଷଣା ଏବଂ ପ୍ରସ୍ତୁତି
ମିଶରର ସ୍ୱାସ୍ଥ୍ୟମନ୍ତ୍ରୀ ଖାଲିଦ୍ ଅବ୍ଦେଲ୍ ଗଫାର ସାରା ଦେଶରେ 'ଇମରଜେନ୍ସି ରେସପନ୍ସ ପ୍ଲାନ୍' ଲାଗୁ କରିବାକୁ ନିର୍ଦ୍ଦେଶ ଦେବା ସହ ଆମ୍ବୁଲାନ୍ସ ସେବାଗୁଡ଼ିକୁ ସମ୍ପୂର୍ଣ୍ଣ ସଜାଗ (Alert) ରହିବାକୁ କହିଛନ୍ତି। ମିଶର ଏବଂ ପୂର୍ବ ଭୂମଧ୍ୟସାଗରୀୟ ଅଞ୍ଚଳ ଭୂକମ୍ପ ଦୃଷ୍ଟିରୁ ସଂବେଦନଶୀଳ କ୍ଷେତ୍ରରେ ଅବସ୍ଥିତ। ଏହି ତୀବ୍ରତାର ଭୂକମ୍ପ ସମୟ ସମୟରେ ଏହି ଅଞ୍ଚଳରେ ଆସିଥାଏ, ଯଦିଓ ଏଥିରୁ ସାଧାରଣତଃ କମ୍ କିମ୍ବା ନଗଣ୍ୟ କ୍ଷତି ହୋଇଥାଏ।
ମ୍ୟାଁମାରରେ ମଧ୍ୟ ପ୍ରକମ୍ପନ
ଅନ୍ୟପଟେ, ଅଗଷ୍ଟ ୩ ତାରିଖ ସକାଳୁ ମ୍ୟାଁମାରରେ ମଧ୍ୟ ଭୂକମ୍ପର ମୃଦୁ ଝଟ୍କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୩.୩ ରେକର୍ଡ କରାଯାଇଛି। ଏହି ଭୂକମ୍ପ ଭୂପୃଷ୍ଠରୁ ୧୦୫ କିଲୋମିଟର ଗଭୀରତାରେ ହୋଇଥିଲା। ଏଠାରେ କୌଣସି ପ୍ରକାରର କ୍ଷୟକ୍ଷତିର ଖବର ନାହିଁ।
ଉତ୍ତର-ପୂର୍ବ ଆଫ୍ରିକାର ଦେଶ ମିଶରରେ ଏତେ ବଡ଼ ଧରଣର ଭୂକମ୍ପ ଖୁବ୍ କମ୍ ଦେଖିବାକୁ ମିଳିଥାଏ। ଆଧୁନିକ ଇତିହାସରେ ମିଶରର ସବୁଠାରୁ ଭୟଙ୍କର ଭୂକମ୍ପ ଅକ୍ଟୋବର ୧୯୯୨ ରେ ଆସିଥିଲା, ଯେତେବେଳେ ୫.୮ ତୀବ୍ରତାର ଭୂକମ୍ପ ରାଜଧାନୀ କାହିରୋକୁ ହଲେଇ ଦେଇଥିଲା। ସେହି ଦୁର୍ଘଟଣାରେ ୫୦୦ ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ଏବଂ ହଜାର ହଜାର ଲୋକ ବେଘର ହୋଇଯାଇଥିଲେ।