ଓଡ଼ିଶା ଭିଜିଲାନ୍ସକୁ ମିଳିଛି ଆଉ ଏକ ବଡ଼ ସଫଳତା। ସୁନ୍ଦରଗଡ଼ ଆରଟିଓ କାର୍ଯ୍ୟାଳୟର ଟ୍ରାଫିକ୍ ଇନ୍ସପେକ୍ଟର ମୁକେଶ କୁମାର ମିଶ୍ରଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ରଙ୍ଗେହାତ ଧରିଛନ୍ତି।
ସୂଚନା ଅନୁସାରେ, ମୁକେଶ କୁମାର ମିଶ୍ର ଜଣେ ଟ୍ରକ୍ ମାଲିକଙ୍କଠାରୁ ଦୁଇଟି ହାଇଭା ଟ୍ରକ୍କୁ ନିଜ ଅଧୀନ ଅଞ୍ଚଳରେ ବିନା ବାଧାରେ ଚଳାଚଳ କରାଇବା ପାଇଁ ଜୁନ୍ ଓ ଜୁଲାଇ ୨୦୨୬ ମାସର ‘ମାସିକ ପାଉଣା’ ଭାବେ ୨୦ ହଜାର ଟଙ୍କା ଦାବି କରିଥିଲେ। ଏହି ଲାଞ୍ଚ ଦେବାକୁ ଇଚ୍ଛୁକ ନଥିବା ଟ୍ରକ୍ ମାଲିକ ଭିଜିଲାନ୍ସ ବିଭାଗର ସହାୟତା ନେଇଥିଲେ।
ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଟିମ୍ ଏକ ସ୍ୱତନ୍ତ୍ର ଫାନ୍ଦ ପକାଇଥିଲା। ଯୋଜନା ଅନୁସାରେ ଟ୍ରକ୍ ମାଲିକ ଅଭିଯୁକ୍ତଙ୍କୁ ୨୦ ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ମୁକେଶ କୁମାର ମିଶ୍ରଙ୍କୁ ହାତେନାତ ଧରିଥିଲା। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଏହାପରେ ଭିଜିଲାନ୍ସ ପକ୍ଷରୁ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ତାଙ୍କ ଆୟଠାରୁ ଅଧିକ ସମ୍ପତ୍ତି ଥିବା ଦିଗକୁ ନେଇ ମଧ୍ୟ ତଦନ୍ତ ଚାଲିଛି।
ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା–୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆଗକୁ ଆହୁରି ତଥ୍ୟ ସାମ୍ନାକୁ ଆସିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।