ଭୁବନେଶ୍ୱର: ବନ୍ୟା ସମୟରେ କାର୍ଯ୍ୟରତ ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟାନୟକଙ୍କ ମୃତ୍ୟୁ ବାବଦକୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବ । ଚନ୍ଦନଙ୍କ ପରିବାରକୁ ୧ କୋଟି ୫ ଲକ୍ଷ ଟଙ୍କା ସହୟତା ରାଶି ପ୍ରଦାନ କରାଯିବ । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ମନ୍ତ୍ରୀଙ୍କ ସୂଚନା ଆଧାରରେ ଚନ୍ଦନ ପଟ୍ଟନାୟକଙ୍କ ପରିବାରକୁ ସରକାରୀ ବ୍ୟବସ୍ଥାବଳୀ ଅନୁସାରେ ୧ କୋଟି ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ବୀମା, ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଓ ଏସଡିଆରଏଫ୍ ପାଣ୍ଠିକୁ ମିଶାଇ ଏହି ସହାୟତା ପ୍ରଦାନ କରାଯିବ । ତାଙ୍କ ମାଆ ଏହି ଟଙ୍କା ଗ୍ରହଣ କରିବେ । ଆଜି ତାଙ୍କ ମାଆ ଭୁବନେଶ୍ୱରରେ ପହଁଚି ଏହି ଅର୍ଥରାଶି ଗ୍ରହଣ କରିପାରନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
ଗତ ଜୁଲାଇ ୨୯ ତାରିଖରେ କେନ୍ଦୁଝର ସହରର ରହୁଥିବା ବିଜୟ ଦାସଙ୍କ ଘରେ ବର୍ଷା ପାଣି ପଶିଥିଲା । ଏ ନେଇ ସେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ଟିମ୍ ପହଞ୍ଚି ପମ୍ପ ସାହାଯ୍ୟରେ ପାଣି ନିଷ୍କାସନ କାମ କରୁଥିଲେ । ଏହି ସମୟରେ ଘର ଭିତରେ ଲୁଗା ଶୁଖା ହୋଇଥିବା ଏକ ଜିଆଇ ତାର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାର୍ଜ ହୋଇଯାଇଥିଲା । ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକ ଅଜାଣତରେ ଉକ୍ତ ଲୁଗା ଶୁଖା ତାରକୁ ଧରି ପକାଇବାକୁ ଛିଟିକି ପଡ଼ିଥିଲେ । ତୁରନ୍ତ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଚନ୍ଦନଙ୍କ ଘର ଅନୁଗୋଳ ଜିଲ୍ଲା ଖୋଲୁଆ ପଞ୍ଚାୟତ ଚାଇଁପାଳ କଲୋନୀରେ ଅଟେ ।