ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ବିଭିନ୍ନ ରାଜ୍ୟର ଉପନିର୍ବାଚନ ଫଳାଫଳ ସୋମବାର ପ୍ରକାଶ ପାଇଛି । ଗୁଜରାଟ ବଡ଼ୋଦରାର ମଞ୍ଜଲପୁର ବିଧାନସଭା ଆସନକୁ ଭାରତୀୟ ଜନତା ପାର୍ଟି ପୁଣି ନିଜ ଦଖଲକୁ ନେଇଛି । ବିଜେପି ପ୍ରାର୍ଥୀ ସତୀଶ ପଟେଲ ୩୦,୦୦୦ ରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଭିଖାଭାଇ ରାବାରୀଙ୍କୁ ପରାସ୍ତ କରିଛନ୍ତି ।
ଏଠି ବିଜେପି ପ୍ରାର୍ଥୀ ସତୀଶ ପଟେଲ ଓ କଂଗ୍ରେସ ପ୍ରାର୍ଥୀ ଭିଖାଭାଇ ରାବାରୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ଭୋଟ ଗଣତି ଆରମ୍ଭ ସତୀଶ ପଟେଲ ଆଗରେ ରହିଥିଲେ । ଶେଷ ପର୍ୟ୍ୟାୟ ଗଣତି ସୁଦ୍ଧା ସତୀଶ ପଟେଲ ମୋଟ ୫୫,୪୮୧ ଭୋଟ ପାଇ ବିଜୟ ହାସଲ କରିଛନ୍ତି । ଭିଖାଭାଇ ରାବାରୀଙ୍କୁ ମାତ୍ର ୨୪,୮୫୧ ଖଣ୍ଡ ଭୋଟ୍ ମିଳିଛି । ଏହି ଉପନିର୍ବାଚନରେ, ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ସହିତ ଭୋଟରମାନେ ମଧ୍ୟ ନୋଟା (ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ) ରେ ଭୋଟ୍ ଦେଇଛନ୍ତି । ନୋଟାରେ ମୋଟ ୨,୨୪୭ ଭୋଟ ପଡ଼ିଥିଲା।
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ବିଧାୟକ ଯୋଗେଶ ପଟେଲଙ୍କ ଦେହାନ୍ତ ପରେ ମଞ୍ଜଲପୁର ଆସନ ଖାଲି ପଡ଼ିଥିଳା । ଆସନ ପୂରଣ କରିବା ପାଇଁ ଏହି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଗତ ଜୁଲାଇ ୩୦ରେ ଏଠାରେ ମତଦାନ ଅନୁଷ୍ଠିତ ହୋଇଥିଲା । ଭୋଟଦାତାଙ୍କ ହାର ୩୭.୭ ପ୍ରତିଶତ ଥିଲା। ଆଜି ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇଛି ।