ନୂଆଦିଲ୍ଲୀ: ଦେଶବ୍ୟାପୀ ଚର୍ଚ୍ଚାରେ ରହିଥିବା ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡ଼ନ ମାମଲାରେ ଭାରତୀୟ କୁସ୍ତି ମହାସଂଘର (WFI) ପୂର୍ବତନ ଅଧ୍ୟକ୍ଷ ତଥା ବିଜେପିର ପୂର୍ବତନ ସାଂସଦ ବ୍ରଜଭୂଷଣ ଶରଣ ସିଂହଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ଏକ କୋର୍ଟ ଏହି ମାମଲାରେ ବ୍ରଜଭୂଷଣଙ୍କୁ ସମ୍ପୂର୍ଣ୍ଣ ଦୋଷମୁକ୍ତ କରିଛନ୍ତି।
ରୌଜ ଆଭେନ୍ୟୁ କୋର୍ଟର ଅତିରିକ୍ତ ମୁଖ୍ୟ ମଜିଷ୍ଟ୍ରେଟ୍ ଅଶ୍ୱିନୀ ପାୱାର ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ ଏହି ମାମଲାରେ ସହ-ଅଭିଯୁକ୍ତ ତଥା କୁସ୍ତି ମହାସଂଘର ପୂର୍ବତନ ସହକାରୀ ସଚିବ ବିନୋଦ ତୋମାରଙ୍କୁ ମଧ୍ୟ ଦୋଷମୁକ୍ତ କରିଛନ୍ତି।
ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଦେଶର କିଛି ଶ୍ରେଷ୍ଠ ମହିଳା କୁସ୍ତିଯୋଦ୍ଧାମାନେ ଯୌନ ଉତ୍ପୀଡ଼ନ ଏବଂ ଅସଦାଚରଣ ଭଳି ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗକୁ ନେଇ ଦିଲ୍ଲୀର ଜନ୍ତରମନ୍ତରରେ ମହିଳା ରେସଲରମାନେ ଦୀର୍ଘଦିନ ଧରି ପ୍ରଦର୍ଶନ କରିଥିଲେ, ଯାହା ଦେଶବ୍ୟାପୀ ବଡ଼ଧରଣର ଆନ୍ଦୋଳନର ରୂପ ନେଇଥିଲା।
କ୍ରୀଡ଼ାବିତ୍ରମାନଙ୍କ ଅଭିଯୋଗକୁ ଆଧାର କରି ଦିଲ୍ଲୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଏବଂ ପରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା। ଭାରତୀୟ ଦଣ୍ଡ ସଂହିତା (IPC)ର ବିଭିନ୍ନ ଧାରା ଯଥା- ୩୫୪ (ମହିଳାଙ୍କୁ ଅସମ୍ମାନ କରିବା ଉଦ୍ଦେଶ୍ୟରେ ବଳ ପ୍ରୟୋଗ), ୩୫୪A (ଯୌନ ଉତ୍ପୀଡ଼ନ), ୩୫୪D (ପିଛା କରିବା) ଏବଂ ୫୦୬ (ଅପରାଧିକ ଧମକ) ଅନୁଯାୟୀ ମାମଲା ଚାଲିଥିଲା। ମେ' ୨୦୨୪ରେ କୋର୍ଟ ଏହି ମାମଲାରେ ଫର୍ଦ୍ଦ ଦାଖଲ କରିଥିଲେ ।
କୋର୍ଟଙ୍କ ଏହି ରାୟ ପରେ ପ୍ରତିକ୍ରିୟା ରଖି ବ୍ରଜଭୂଷଣ ଶରଣ ସିଂହ କହିଛନ୍ତି ଯେ, "ପ୍ରଥମ ଦିନରୁ ମୁଁ କହିଆସୁଥିଲି ଯେ ଯଦି ମୋ ବିରୋଧରେ ଗୋଟିଏ ବି ଅଭିଯୋଗ ପ୍ରମାଣିତ ହୁଏ, ତେବେ ମୁଁ ଯେକୌଣସି ଦଣ୍ଡ ଭୋଗିବାକୁ ପ୍ରସ୍ତୁତ। ଆଜି କୋର୍ଟ ଆମକୁ ସମ୍ମାନଜନକ ଭାବେ ଦୋଷମୁକ୍ତ କରିଛନ୍ତି। ସତ୍ୟର ସର୍ବଦା ଜିବତ ହୁଏ ବୋଲି ଆଜି ପୁଣିଥରେ ପ୍ରମାଣିତ ହେଲା