ନୂଆଦିଲ୍ଲୀ: ଉପନିର୍ବାଚନରେ ବିଜେପି ଗୁଜରାଟରେ ସଫଳତାର ସ୍ୱାଦ ଚାଖିଥିବାବେଳେ ଦେଶବାସୀଙ୍କ ନଜର ଥିବା ବାଙ୍କୀପୁର ଆସନରେ ନିରାଶ ହୋଇଛି । ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ହାତରୁ ଯାଇଛି ବାଙ୍କୀପୁର ଗଡ଼ । ଜନ ସ୍ୱରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର ନିତିନଙ୍କ ଗଡ଼ରେ ପ୍ରବେଶ କରିଛନ୍ତି । ଭୋଟ୍ ଗଣତି ଶେଷ ହୋଇନଥିଲେ ମଧ୍ୟ ପ୍ରଶାନ୍ତଙ୍କ ବିଜୟ ସ୍ପଷ୍ଟ ହୋଇସାରିଛି ।
୨୮ତମ ରାଉଣ୍ଡ ଗଣନା ପରେ, ପ୍ରଶାନ୍ତ କିଶୋର ୧୯,୪୧୯ ଭୋଟରେ ଆଗୁଆ ଅଛନ୍ତି । ସେ ଏପର୍ଯ୍ୟନ୍ତ ୫୯,୨୧୩ ଭୋଟ ପାଇଛନ୍ତି। ବିଜେପିର ନୀରଜ ସିହ୍ନା ୩୯,୭୯୪ ଭୋଟ ସହିତ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଆରଜେଡି ପ୍ରାର୍ଥୀ ୧୩,୨୬୦ ଭୋଟ ପାଇଛନ୍ତି।
ବାଙ୍କିପୁର ଉପନିର୍ବାଚନରେ ଏକ ବିସ୍ଫୋରକ ବିଜୟ ଆଡକୁ ଯାଉଥିବା ପ୍ରଶାନ୍ତ କିଶୋର ଗଣମାଧ୍ୟମ ସମ୍ମୁଖରେ ନିଜର ପ୍ରତିକ୍ରିୟା ରଖି ଖୁସି ବ୍ୟକ୍ତ କରିଛନ୍ତି । ପ୍ରଶାନ୍ତ କିଶୋର ଦୃଢ଼ କଣ୍ଠରେ କହିଛନ୍ତି ଯେ ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ହେଉଛି ବାଙ୍କୀପୁର ଲୋକଙ୍କ ବିଶ୍ୱାସ ଏବଂ ଆଶୀର୍ବାଦକୁ ସମ୍ମାନ ଦେବା। ସେମାନେ ବାଙ୍କୀପୁରର ବିକାଶ ପାଇଁ ଯଥାସମ୍ଭବ ପ୍ରୟାସ କରିବେ। ଆଉ ସେହି ବିକାଶର ଚିତ୍ର ଆଗାମୀ ଦୁଇରୁ ତିନି ମାସ ମଧ୍ୟରେ ପ୍ରତିଫଳିତ ହେବ । ସେ ଆହୁରି କହିଛନ୍ତି ଯେ ବିଧାୟକ ହେବା ଦ୍ୱାରା ବାଙ୍କୀପୁର ବେଙ୍ଗାଲୁରୁରେ ପରିଣତ ହେବ ନାହିଁ ।
ନିତିନ ନବୀନ ରାଜ୍ୟସଭାକୁ ଯିବା ପରେ ବାଙ୍କୀପୁର ଆସନରୁ ଇସ୍ତଫା ଦେଇଥିଲେ । ଏହା ପରେ ଗତ ମାସ ୩୦ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।