ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ବନ୍ୟା ସ୍ଥିତି ଲାଗି ରହିଛି। ଅନେକ ସ୍ଥାନରେ ବନ୍ୟା ପରେ ଜଳବନ୍ଦୀ ଅଞ୍ଚଳରେ ସାପ କାମୁଡ଼ା ଘଟଣା ବୃଦ୍ଧି ପାଉଥିବାରୁ ସ୍ୱାସ୍ଥ୍ୟ ବିଭାଗ ସତର୍କ କରାଇଛି । ସରକାରୀ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ବନ୍ୟା ସମୟରେ ୯୬ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଛି । ତେବେ ଠିକ୍ ସମୟରେ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ଯୋଗୁଁ କୌଣସି ବ୍ଯକ୍ତିର ମୃତ୍ୟୁ ଘଟିନାହିଁ, ଯାହା ଏକ ଆଶ୍ୱସ୍ତିକର ବିଷୟ ଅଟେ ।
ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ରାଜ୍ଯର ବନ୍ୟା ବିପର୍ଯ୍ୟୟରେ ପ୍ରଭାବିତ ହୋଇଥିବା ୭ଟି ଜିଲ୍ଲାରେ ୨୧ ହଜାରରୁ ଅଧିକ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ମେଡିକାଲ ଟିମ୍ ଗାଁ ଗାଁ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ବଣ୍ଟନ କରୁଛନ୍ତି । ଜ୍ୱର, ଚର୍ମରୋଗ, ସଂକ୍ରମଣ ଓ ଅନ୍ୟାନ୍ୟ ବନ୍ୟାଜନିତ ରୋଗ ଉପରେ ବିଶେଷ ଭାବରେ ନଜର ରଖାଯାଇଛି ।
ସେହିପରି ସ୍ୱାସ୍ଥ୍ୟ ବିଭାଗର କହିଛି ଯେ ବନ୍ୟାରେ ୧୯୫ଟି ଡାଏରିଆ ମାମଲା ଚିହ୍ନଟ ହୋଇଛି ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ବିଶୁଦ୍ଧ ପାନୀୟ ଜଳ, ORS, କ୍ଲୋରିନ ଟ୍ୟାବଲେଟ୍ ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଛି ।
ସେହିପରି ବନ୍ୟା ପ୍ରଭାବିତ ଅଞ୍ଚଳର ୪୮୧ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ସେମାନଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି । ବନ୍ୟା ପାଣି କମୁଥିଲେ ମଧ୍ୟ ବିପଦ ଏବେ ସମ୍ପୂର୍ଣ୍ଣ ଟଳିନାହିଁ। ତେଣୁ ବନ୍ୟା ପାଣିରେ ଚାଲିବା ବେଳେ ସତର୍କ ରୁହନ୍ତୁ, ରାତିରେ ଟର୍ଚ୍ଚର ବ୍ୟବହାର କରନ୍ତୁ, ଘର ଓ ଆଖପାଖକୁ ଭଲଭାବେ ସଫା ରଖନ୍ତୁ ଏବଂ ସାପ କାମୁଡ଼ିଲେ କୌଣସି ଘରୋଇ ଚିକିତ୍ସା ନକରି ତୁରନ୍ତ ନିକଟସ୍ଥ ମେଡିକାଲକୁ ଯାଆନ୍ତୁ । ସାପ କାମୁଡ଼ା, ଡାଏରିଆ ଏବଂ ଜଳବାହିତ ରୋଗକୁ ନେଇ ସଚେତନ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ପରାମର୍ଶ ଦେଇଛି ।