ଭୁବନେଶ୍ୱର: ମହିଳା ଥାନାରୁ ଅଭିଯୁକ୍ତ ଚମ୍ପଟ୍ ମାରିବା ଘଟଣାରେ କମିଶନରେଟ୍ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ ଡ୍ୟୁଟି ଅଫିସର୍ ଏଏସ୍ଆଇ ତିଳୋତ୍ତମା ପୃଷ୍ଟି ଏବଂ ସେଣ୍ଟ୍ରି ପ୍ରଦୀପ୍ତ ବେହେରାଙ୍କୁ ନିଲମ୍ବିତ କରାଯାଇଛି । ଭୁବନେଶ୍ୱର ଡିସିପି ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
ମହିଳାଙ୍କୁ ଧୋକା ଦେବା ଅଭିଯୋଗରେ ଭଦ୍ରକ ସାବରଙ୍ଗ ଥାନା ଏରଡ଼ା ଗାଁର ରୁଦ୍ର ପ୍ରସାଦ ସୂତାରଙ୍କୁ ମହିଳା ଥାନା ପୁଲିସ ଗିରଫ କରିଥିଲା । ଗତ ଶୁକ୍ରବାର ମହିଳା ଥାନାରେ ରୁଦ୍ରଙ୍କୁ ଜେରା କରାଯାଉଥିବାବେଳେ ସେ ହଠାତ୍ ସେଣ୍ଟ୍ରିଙ୍କୁ ଧକ୍କା ଦେଇ ଆଖି ପିଛୁଳାକେ ଫେରାର ହୋଇଯାଇଥିଲା । ପୁଲିସ ତାଙ୍କୁ ଧରି ପାରି ନଥିଲା । ପୁଲିସ ରୁଦ୍ରକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।