କଳାହାଣ୍ଡି: ପେଟ ପାଟଣା ପାଇଁ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା କଳାହାଣ୍ଡିର ଜଣେ ଯୁବକଙ୍କ ଶେଷରେ ଶବ ହୋଇ ଘରକୁ ଫେରିଛନ୍ତି । ହାଇଦ୍ରାବାଦରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦର ଗାଁର ନିରନ ବିଭାର (୩୬) ।
ନିରନ ବିଭାର ରୋଜଗାର ଆଶାରେ ଦୁଇ ମାସ ତଳେ ହାଇଦ୍ରାବାଦର ଏକ ଇଟାଭାଟିରେ କାମ କରିବାକୁ ଯାଇଥିଲେ । ଗତ ଶନିବାର କାମ କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା। ଆର୍ଥିକ ଅଭାବ ଯୋଗୁଁ ପରିବାର ମୃତଦେହ ଆଣିପାରିନଥିଲେ । ଶେଷରେ ଇଟାଭାଟି ମାଲିକଙ୍କ ସହଯୋଗରେ ତିନି ଦିନ ପରେ ମୃତଦେହ ଗାଁରେ ପହଞ୍ଚିଛି । ଯାହା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତଦେହକୁ ଦେଖିବା ପରେ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି । ଗ୍ରାମବାସୀଙ୍କ ସହାୟତାରେ ନିରନଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତେବେ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।