ଭୁବନେଶ୍ୱର: ରାଜ୍ୟରେ ପୋଲିସ ବିଭାଗର କାର୍ଯ୍ୟକାରିତାକୁ ନେଇ ପ୍ରାୟତଃ ଆଲୋଚନା ହେଉଥିବା ବେଳେ ବର୍ତ୍ତମାନ ବିଦ୍ୟୁତ ବ୍ୟବହାରକୁ ନେଇ ଏକ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ଓଡ଼ିଶା ପୋଲିସ ମୁଖ୍ୟାଳୟ ପକ୍ଷରୁ ରାଜ୍ୟର ସମସ୍ତ ପୋଲିସ ଜିଲ୍ଲା, ରେଞ୍ଜ, ପ୍ରତିଷ୍ଠାନ ଏବଂ ବାଟାଲିୟନ ମୁଖ୍ୟମାନଙ୍କୁ ଏକ ସତର୍କ କରାଇଲା ଭଳି ଚିଠି ପଠାଯାଇଛି। ଅଫିସ୍ ପରିସରରେ ବିଦ୍ୟୁତର ଅପବ୍ୟବହାର ଏବଂ ବେଆଇନ ସଂଯୋଗକୁ ନେଇ କର୍ତ୍ତୃପକ୍ଷ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
କାହିଁକି ଜାରି ହେଲା ଏପରି କଡ଼ା ନିର୍ଦ୍ଦେଶ ?
ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେତେକ ଥାନା ଓ ପୋଲିସ ପ୍ରତିଷ୍ଠାନରେ ଅଫିସ୍ ପାଇଁ ଆସୁଥିବା ମୁଖ୍ୟ ବିଦ୍ୟୁତ ଲାଇନରୁ ବେଆଇନ ଭାବେ ଆବାସିକ କ୍ୱାର୍ଟର ଏବଂ ବ୍ୟାରାକକୁ ସଂଯୋଗ ଦିଆଯାଉଥିବା ଅଭିଯୋଗ ହୋଇଥିଲା।
ଏହାବ୍ୟତୀତ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ କାରଣ ମଧ୍ୟ ଏହି ନିର୍ଦ୍ଦେଶ ପଛରେ ରହିଛି। ଅଧିକାଂଶ କର୍ମଚାରୀ ଅଫିସ୍ ବିଦ୍ୟୁତ ବ୍ୟବହାର କରି ନିଜର ବ୍ୟକ୍ତିଗତ ଇଲେକ୍ଟ୍ରିକ୍ ସ୍କୁଟର କିମ୍ବା କାର୍ ଚାର୍ଜ କରୁଛନ୍ତି, ଯାହାଫଳରେ ସରକାରୀ ରାଜକୋଷ ଉପରେ ଅନାବଶ୍ୟକ ଆର୍ଥିକ ବୋଝ ପଡ଼ୁଛି। ସେହିପରି ବ୍ୟାରାକଗୁଡ଼ିକରେ ରୋଷେଇ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ପାଇଁ କର୍ମଚାରୀମାନେ ଇଲେକ୍ଟ୍ରିକ୍ ହିଟର ବ୍ୟବହାର କରୁଛନ୍ତି, ଯାହାଦ୍ୱାରା ବିଦ୍ୟୁତ ବିଲ୍ ଅତ୍ୟଧିକ ବୃଦ୍ଧି ପାଇବା ସହ ସର୍ଟ ସର୍କିଟ୍ ଭଳି ବଡ଼ଧରଣର ସୁରକ୍ଷା ଜନିତ ବିପଦ ମଧ୍ୟ ସୃଷ୍ଟି ହେଉଛି।
ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ
ପୋଲିସ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସମସ୍ତ ମୁଖ୍ୟମାନେ ନିଜ ଅଧୀନସ୍ଥ ଅଞ୍ଚଳରେ ତୁରନ୍ତ ଏକ ଯାଞ୍ଚ ଅଭିଯାନ ଆରମ୍ଭ କରିବେ। ଯଦି କୌଣସି ସ୍ଥାନରେ ଅଫିସ୍ ଲାଇନରୁ କ୍ୱାର୍ଟରକୁ ବେଆଇନ ସଂଯୋଗ କିମ୍ବା ଅନଧିକୃତ ଭାବେ ବିଦ୍ୟୁତ ଦୁରୁପଯୋଗ ହେଉଥିବା ନଜରକୁ ଆସେ, ତେବେ ତୁରନ୍ତ ସେହି ସଂଯୋଗକୁ ବିଚ୍ଛିନ୍ନ କରାଯିବ।
କେବଳ ସଂଯୋଗ କାଟି ଦିଆଯିବ ନାହିଁ, ବରଂ ଏହି ନିୟମକୁ ଅମାନ୍ୟ କରୁଥିବା ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି। ପୋଲିସ ବିଭାଗର ଏଭଳି ପଦକ୍ଷେପ ପରେ ବର୍ତ୍ତମାନ କର୍ମଚାରୀଙ୍କ ମଧ୍ୟରେ କଟକଣାକୁ ନେଇ କୋଳାହଳ ଦେଖାଦେଇଛି।