ବ୍ରହ୍ମପୁର: ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିଛନ୍ତି। ଷ୍ଟେସନରେ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିବା ବେଳେ ସମଗ୍ର ବ୍ରହ୍ମପୁର ସହର ଉତ୍ସବମୁଖର ହୋଇଉଠିଥିଲା।
ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇବା ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଷ୍ଟେସନରେ ଉପସ୍ଥିତ ଥିଲେ। ସାଂସ୍କୃତିକ ଦଳ ପକ୍ଷରୁ ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରି ରାଷ୍ଟ୍ରପତିଙ୍କୁ ଭବ୍ୟ ଅଭିନନ୍ଦନ ଜଣାଯାଇଥିଲା।
ବ୍ରହ୍ମପୁରରୁ ରାଷ୍ଟ୍ରପତି କଡ଼ା ସୁରକ୍ଷା ବଳୟ ମଧ୍ୟରେ ସଡ଼କ ପଥରେ ତପ୍ତପାଣି ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ସେ ମା’ କନ୍ଧୁଣୀ ଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ପରେ ବ୍ରହ୍ମପୁର ଗୋଳାବନ୍ଧସ୍ଥିତ ଆର୍ମି ଏଡି କଲେଜରେ ରାତ୍ରିଯାପନ କରିବେ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ରେଳ ଷ୍ଟେସନ, ତପ୍ତପାଣି ଓ ଗୋଳାବନ୍ଧ ଅଞ୍ଚଳରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଡଗ୍ ସ୍କ୍ୱାଡ୍, ବୋମା ନିଷ୍କ୍ରିୟକାରୀ ଦଳ, ମେଟାଲ ଡିଟେକ୍ଟର ସହ ବହୁ ସଂଖ୍ୟକ ସଶସ୍ତ୍ର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଗସ୍ତପଥରେ ସୁରକ୍ଷାରେ କୌଣସି ପ୍ରକାର ତ୍ରୁଟି ନ ରହିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।