ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରୁଥିବା ବେଳେ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ସରକାର ଏବେ ଆକ୍ସନ ମୋଡ୍କୁ ଆସିଛନ୍ତି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଥିବା ସଚିବ ସ୍ତରୀୟ ସମୀକ୍ଷା ବୈଠକରେ ବନ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା, ପୁନରୁଦ୍ଧାର କାର୍ଯ୍ୟ ଓ ବିଭିନ୍ନ ବିକାଶମୂଳକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି।
ବୈଠକରେ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗର ସଚିବମାନଙ୍କୁ ପରସ୍ପର ସମନ୍ୱୟ ରକ୍ଷା କରି ତ୍ୱରିତ ଭାବେ ପୁନରୁଦ୍ଧାର କାମ ଆଗକୁ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ବନ୍ୟାଜଳ ହ୍ରାସ ପାଇବା ପରେ କ୍ଷତିଗ୍ରସ୍ତ ରାସ୍ତା, ପୋଲ, ସରକାରୀ ଭିତ୍ତିଭୂମି ଓ ଅତ୍ୟାବଶ୍ୟକ ସେବାର ମରାମତି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି।
ବୈଠକରେ ସ୍ୱାସ୍ଥ୍ୟସେବା ଓ ବିଶୁଦ୍ଧ ପିଇବା ପାଣି ଯୋଗାଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ପର୍ଯ୍ୟାପ୍ତ ସଂଖ୍ୟାରେ ଡାକ୍ତରୀ ଟିମ୍ ମୁତୟନ କରିବା ସହ ଡାଇରିଆ, ଜଣ୍ଡିସ୍ ଓ ଅନ୍ୟାନ୍ୟ ସଂକ୍ରାମକ ରୋଗ ନ ବ୍ୟାପିବା ପାଇଁ ସତର୍କ ରହିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ପ୍ରଭାବିତ ଅଞ୍ଚଳରେ ସୁରକ୍ଷିତ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବା ଉପରେ ମଧ୍ୟ ଜୋର ଦିଆଯାଇଛି।
ଏହାବ୍ୟତୀତ ବିଭିନ୍ନ ବିଭାଗର ବଜେଟ୍ ବ୍ୟୟ, ନିଯୁକ୍ତି ପ୍ରକ୍ରିୟା ଓ ଚାଲୁଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ସରକାରଙ୍କ ନିଶା ନିବାରଣ ଅଭିଯାନକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ପୂର୍ବରୁ ସ୍ଥିର ହୋଇଥିବା ସମସ୍ତ କାର୍ଯ୍ୟକ୍ରମକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପଟେ ବୈଠକରେ ଗଜପତି ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରସ୍ତୁତ 'ବିକଶିତ ଗଜପତି ବ୍ଲୁ ପ୍ରିଣ୍ଟ' ଉପସ୍ଥାପନ କରାଯାଇଥିଲା। ଏଥିରେ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ପ୍ରସ୍ତାବିତ ୨୫ଟି ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସଚିବମାନଙ୍କୁ ଅବଗତ କରାଯାଇଥିଲା। ବନ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ସହ ବିକାଶ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପାଇଁ ସରକାର ଏକାସାଙ୍ଗରେ ରିଲିଫ୍, ପୁନରୁଦ୍ଧାର ଓ ବିକାଶ ଉପରେ ଫୋକସ୍ କରିଥିବା ବୈଠକରୁ ସ୍ପଷ୍ଟ ହୋଇଛି।