ସୁନ୍ଦରଗଡ଼ରେ ଭିଜିଲାନ୍ସକୁ ମିଳିଛି ବଡ଼ ସଫଳତା। ପରିବହନ ବିଭାଗର ଟ୍ରାଫିକ୍ ଇନ୍ସପେକ୍ଟର ମୁକେଶ କୁମାର ମିଶ୍ରଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ରଙ୍ଗେହାତ ଧରିଛନ୍ତି। ଏହାପରେ ତାଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ନଗଦ ୧୪ ଲକ୍ଷ ୩୩ ହଜାର ଟଙ୍କା ଜବତ କରାଯାଇଛି।
ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଆରଟିଓ କାର୍ଯ୍ୟାଳୟରେ କାର୍ଯ୍ୟରତ ଟ୍ରାଫିକ୍ ଇନ୍ସପେକ୍ଟର ମୁକେଶ ମିଶ୍ର ଜଣେ ଟ୍ରକ୍ ମାଲିକଙ୍କଠାରୁ ଦୁଇଟି ହାଇୱା ଗାଡ଼ିକୁ ବିନା ବାଧାରେ ଚଳାଚଳ କରିବାକୁ ଦେବା ପାଇଁ ୨୦ ହଜାର ଟଙ୍କା ଦାବି କରିଥିଲେ। ଜୁନ୍ ଓ ଜୁଲାଇ ମାସ ପାଇଁ ‘ମାସିକ କୋଟା’ ଭାବେ ଏହି ଲାଞ୍ଚ ଟଙ୍କା ନିଆଯାଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଫିସ୍ କକ୍ଷରୁ ରଙ୍ଗେହାତ କାବୁ କରିଥିଲା।
ଲାଞ୍ଚ ମାମଲାରେ ଗିରଫ ପରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ତିନୋଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ସୁନ୍ଦରଗଡ଼ ସହରର ଶ୍ରୀକୃଷ୍ଣ ବିହାରସ୍ଥିତ ବାସଭବନ, ବରଗଡ଼ର ପୈତୃକ ଘର ଏବଂ ତାଙ୍କ କାର୍ଯ୍ୟାଳୟରେ ତଲାସି ବେଳେ ସୁନ୍ଦରଗଡ଼ ଘରୁ ୧୪.୩୩ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା। ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟର ବିଡ଼ା ବିଡ଼ା ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀମାନେ ମଧ୍ୟ ତାଜୁବ ହୋଇଯାଇଥିଲେ।
ମୁକେଶ ମିଶ୍ର ୬ ଅଗଷ୍ଟ ୨୦୧୫ରେ ଟ୍ରାଫିକ୍ ସବ୍-ଇନ୍ସପେକ୍ଟର ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ପରେ ତାଲଚେର, ବଲାଙ୍ଗିର ଓ ନୂଆପଡ଼ାରେ କାର୍ଯ୍ୟ କରି ୨୦୨୨ରେ ଟ୍ରାଫିକ୍ ଇନ୍ସପେକ୍ଟର ପଦକୁ ପଦୋନ୍ନତି ପାଇଥିଲେ। ତାଙ୍କୁ ଗିରଫ କରାଯାଇଥିବା ବେଳେ କୋର୍ଟଚାଲାଣ ପାଇଁ ପ୍ରସ୍ତୁତି ଚାଲିଛି।