ଖୋର୍ଦ୍ଧା ଜିଲ୍ଲାରେ ଗଞ୍ଜେଇ ଚାଲାଣ ବିରୋଧରେ ପୋଲିସକୁ ମିଳିଛି ବଡ଼ ସଫଳତା। ବୋଲଗଡ଼ ପୋଲିସ ୬୦ କେଜି ୩୫୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରିଛି।
ପୋଲିସ ସୂଚନା ଅନୁସାରେ, ଅଗଷ୍ଟ ୩ ତାରିଖ ସକାଳ ପ୍ରାୟ ୧୦ଟା ୧୦ ମିନିଟ୍ ସମୟରେ ଏନଏଚ୍-୫୭ର ମା' ମଙ୍ଗଳା ମନ୍ଦିର ନିକଟରେ ଚଢ଼ାଉ କରାଯାଇଥିଲା। ନିର୍ଭରଯୋଗ୍ୟ ସୂଚନା ପାଇବା ପରେ ବୋଲଗଡ଼ ଥାନା ଆଇଆଇସି ସୁକାନ୍ତ ଦଳାଇଙ୍କ ନେତୃତ୍ୱରେ ପୋଲିସ ଟିମ୍ ଏକ ଟାଟା ପଞ୍ଚ କାର୍ ଓ ଏହାକୁ ଏସ୍କର୍ଟ କରୁଥିବା ଏକ ପଲସର ବାଇକକୁ ଅଟକାଇଥିଲା।
ତଲାସି ବେଳେ କାରର ଡିକିରୁ ୩ଟି ବସ୍ତାରେ ଭର୍ତ୍ତି ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ମୋଟ ଓଜନ ୬୦ କେଜି ୩୫୦ ଗ୍ରାମ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ୩୦ ହଜାର ଟଙ୍କା ବୋଲି ପୋଲିସ କହିଛି।
ଘଟଣାରେ କାରରେ ଥିବା ୫ ଜଣ ଏବଂ ବାଇକରେ ଏସ୍କର୍ଟ କରୁଥିବା ୨ ଜଣଙ୍କୁ ମୋଟ ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ସମସ୍ତେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।
ଏହାଛଡ଼ା ପୋଲିସ ଘଟଣାସ୍ଥଳରୁ ଦୁଇଟି ମୋବାଇଲ ଫୋନ୍, ଗୋଟିଏ ଟାଟା ପଞ୍ଚ କାର୍ ଓ ଗୋଟିଏ ପଲସର ମୋଟରସାଇକେଲକୁ ମଧ୍ୟ ଜବତ କରିଛି। ଏନଡିପିଏସ୍ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଥିବା ବେଳେ ଗଞ୍ଜେଇ ଚାଲାଣର ନେଟୱର୍କକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।