ନୂଆଦିଲ୍ଲୀ: ଥାଇଲାଣ୍ଡରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତିଯାଇଛି । ପ୍ରତିକୂଳ ପାଗ ଯୋଗୁଁ ବିମାନରେ ଟର୍ବୁଲାନ୍ସ ହେବାରୁ ୧୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଖାଲି ସେତିକି ନୁହେଁ ବିମାନ ଭିତରେ ମଧ୍ୟ କିଛି ସ୍ଥାନରେ ଫାଟ ଦେଖିବାକୁ ମିଳିଛି ।
ଏୟାର ଇଣ୍ଡିଆ ବିମାନ ଏଆଇ୨୩୭୯ (AI2379) ଥାଇଲାଣ୍ଡ ରାଜଧାନୀ ଫୁକେଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଦିଲ୍ଲୀରେ ପହଁଚିବାକୁ ମାତ୍ର କିଛି ସମୟ ବାକି ଥିବାବେଳେ ମଝି ଆକାଶରେ ହଠାତ୍ ଟର୍ବୁଲାନ୍ସ ଯୋଗୁଁ ବିମାନ ତଳକୁ ପଳାଇ ଆସିଥିଲା । ଫଳରେ ବିମାନରେ ଭିତରେ ବାୟୁର ଚାପ ବଢ଼ିଯାଇଥିଲା । ଏହା ଯାତ୍ରୀଙ୍କ ଉପରେ ଗୁରୁତର ପ୍ରଭାବ ପକାଇଥିଲା । କାହାର କାନରୁ ରକ୍ତ ବାହାରିଥିଲା ତ ଆଉ କିଏ ବିମାନ ଦୋହଲିବାରୁ ଏଣେତେଣେ ପିଟି ହୋଇଯାଇଥିଲେ । ଜଣେ ଯାତ୍ରୀଙ୍କର କାନ ଫାଟି ରକ୍ତ ବାହାରୁଥିବାବେଳେ ଆଉ ଜଣେ ଯାତ୍ରୀଙ୍କର ଆଖି ପାଖରେ ଗଭୀର ଆଘାତ ଲାଗିଛି । ଅନ୍ୟ ଜଣଙ୍କ କାନ୍ଧରେ ମଧ୍ୟ ଆଘାତ ଲାଗିଛି । ଏପରି ୧୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ବିମାନଟି ଅବତରଣ କରିବା ପରେ ତୁରନ୍ତ ଆହତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାୟୁର ଚାପ ଏତେ ବଢ଼ିଥିଲା ବିମାନରେ କିଛି ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।
ପାଇଲଟ ସଫଳତା ପୂର୍ବକ ବିମାନକୁ ଦିଲ୍ଲୀ ଏୟାରପୋର୍ଟରେ ଅବତରଣ କରାଇଛନ୍ତି । ଯାତ୍ରୀଙ୍କ ପ୍ରାଥମିକତା ସର୍ବୋପରି ବୋଲି ବିମାନ କମ୍ପାନୀ କର୍ତ୍ତୁପକ୍ଷ କହିଛନ୍ତି । ତେବେ କାହିଁକି ଏଭଳି ସ୍ଥିତି ଉତ୍ପନ୍ନ ହେଲା ତାହାର ଯାଞ୍ଚ ଜାରି ରହିଛି ।