ନୂଆଦିଲ୍ଲୀ: ବୁର୍ଖା ପିନ୍ଧି କାଉଁଡ଼ିଆ ଯାତ୍ରାରେ ଜଳାଭିଷେକ କରିଥିବା ଚର୍ଚ୍ଚାକୁ ଆସିଥିବା ଦମ୍ପତ୍ତିଙ୍କୁ ନୋଟିସ୍ ଜାରି ହୋଇଛି । ଉତ୍ତର ପ୍ରଦେଶ ସମ୍ଭଲ ବାସିନ୍ଦା ତମନ୍ନା ମଲ୍ଲିକ ଓ ତାଙ୍କ ସ୍ୱାମୀ ଅମନ ତ୍ୟାଗୀଙ୍କୁ ସମ୍ଭଲ ଏସଡିଏମ୍ କୋର୍ଟ ଚଳିତ ବର୍ଷ ସମନ କରିଛନ୍ତି ।
ମହାଶିବରାତ୍ରି ଭଳି ଶ୍ରାବଣ ମାସରେ କାଉଁଡ଼ିଆ ନେଇ ଯିବାକୁ ଉଭୟ ମନସ୍ଥ କରିଥିଲେ । କିନ୍ତୁ ଏହା ପୂର୍ବରୁ କୋର୍ଟରୁ ତାଙ୍କୁ ଝଟକା ଲାଗିଛି । ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଆଶଙ୍କାରେ କୋର୍ଟ କାରଣ ଦର୍ଶାଅ ନୋଟିସ୍ ପଠାଇଛନ୍ତି । ଏହା ସହିତ ୨୦ ହଜାର ଟଙ୍କା ଜରିମାନା ଲଗାଯାଇଛି ।
ଗତ ଫେବୃଆରୀ ମହାଶିବ ରାତ୍ରୀ ଉପଲକ୍ଷେ ତମନ୍ନା ମଲ୍ଲିକ ଓ ତାଙ୍କ ସ୍ୱାମୀ ଅମନ ତ୍ୟାଗୀ ଜଳାଭିଷେକ ପାଇଁ ପାଣି ନେଇ ବାହାରିଥିଲେ । କାନ୍ଧର କାଉଁଡ଼ିଆ ଥିବାବେଳେ ଦେହରେ ବୁର୍ଖା ଥିଲା । ଉଭୟ ହରିଦ୍ୱାରରୁ ପାଣି ନେଇ ୧୭୦ କିଲୋମିଟର୍ ଚାଲି ଚାଲି ନୈମିଷାରଣ୍ୟରେ ଜଳାଭିଷେକ କରିଥିଲେ । ମାତ୍ର ଏହି ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବା ପରେ ବିବାଦ ଆରମ୍ଭ ହୋଇଥିଲା । ହିନ୍ଦୁ ଧର୍ମର ଲୋକେ ଏହାକୁ ନାପସନ୍ଦ କରିଥିଲେ । ଏମିତିକି ତମନ୍ନାଙ୍କୁ ଧମକ ମଧ୍ୟ ମିଳିଥିଲା ।
ତିନି ବର୍ଷ ତଳେ ତମନ୍ନା ମଲ୍ଲିକ ହିନ୍ଦୁ ଯୁବକ ଅମନ ତ୍ୟାଗୀଙ୍କୁ ବିବାହ କରିଥିଲେ । ମନସ୍କାମନା ପୂର୍ଣ୍ଣ ହେବାରୁ ସେ ମହାଶିବରାତ୍ରିରେ କାଉଁଡ଼ିଆ ଯାତ୍ରା କରିଥିଲେ ।