ନୂଆଦିଲ୍ଲୀ: ଆସାମ ନାଗାଓଁରେ ଜଣେ ସିଆରପିଏଫ୍ ଅଧିକାରୀ ଉନ୍ମତକାଣ୍ଡ ଭିଆଇଛନ୍ତି । ସିଆରପିଏଫ୍ ଅଧିକାରୀ ୩ ଜଣ ସହ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଛନ୍ତି । ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଅଛନ୍ତି । ଏହା ପରେ ସେ ନିଜେ ଆତ୍ମହତ୍ୟା କରିଛନ୍ତି । ମୃତ ସହକାରୀ କର୍ମଚାରୀ ହେଲେ ହାବିଲଦାର ପ୍ରସାଦ ବାଘେଲ ଏବଂ ଏସ୍ଆଇ ରମଣୱାଲ ସିଂ ଯାଦବ । ଗୁରୁତର ଏଏସଆଇ ଗୋବିନ୍ଦ ଶ୍ରିପୁଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ନାଗାଓଁ ଡିଏସପି ପାରମିତା ସରକାର ସୂଚନା ଦେଇଛନ୍ତି ଯେ ମଙ୍ଗଳବାର ସକାଳ ୭ଟା ସମୟରେ କଟିମାରିରେ ଥିବା ସିଆରପିଏଫ୍ ୩୪ ବାଟାଲିୟନ ଶିବିରରେ ଏଏସ୍ଆଇ ବଲାନି ପ୍ରେମାବରମ ମୁଖ୍ୟ ଫାଟକ ନିକଟରେ ଡ୍ୟୁଟିରେ ଥିଲେ । ଏହି ସମୟରେ ସେ ନିଜର ୩ ଜଣ ସାଥି କର୍ମଚାରୀଙ୍କ ଉପରକୁ ଗୁଳି କରିଥିଲେ । ଗୁଳି ଚଳାଇବା ପରେ ପ୍ରେମାବରମ୍ ବି/୧୭୧ ବାରାକରେ ପ୍ରବେଶ କରି ନିଜକୁ ଗୁଳି କରିଥିଲେ । ଏହି ଗୁଳିକାଣ୍ଡରେ ଅଭିଯୁକ୍ତ ପ୍ରେମାବରମ୍, ହାବିଲଦାର ପ୍ରସାଦ ବାଘେଲ ଏବଂ ଏସ୍ଆଇ ରମଣୱାଲ ସିଂ ଯାଦବ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ । ଗୁରୁତର ଏଏସଆଇ ଗୋବିନ୍ଦ ଶ୍ରିପୁଲଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଗୌହ୍ୱାଟୀ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ନାଗାଓଁ ଏସପି ପାର୍ଥ ପ୍ରିତମ ଦାସ କହିଛନ୍ତି ଯେ ଏଏସ୍ଆଇ ବଲାନି ପ୍ରେମବରମ ଆନ୍ଧ୍ର ପ୍ରଦେଶର ମୂଳ ବାସିନ୍ଦା ଅଟନ୍ତି । ଆଜି ସକାଳେ ସେ କ୍ୟାମ୍ପର ମୁଖ୍ୟ ଫାଟକରେ ଡ୍ୟୁଟି କରୁଥିବା ସମୟରେ ତାଙ୍କ ପାଖରେ କୌଣସି ରାଇଫଲ୍ ନ ଥିଲା । ପରେ ସେ ଗାର୍ଡ ରୁମରୁ ଯାଇ ଏକ ଇନସାସ ରାଇଫଲ୍ ନେଇ କ୍ୱାର୍ଟର ଗାର୍ଡର ପଛ ପାର୍ଶ୍ୱକୁ ଯାଇଥିଲେ । ସେଠାରେ ସେ ଗୁଳିକାଣ୍ଡ କରିଥିଲେ ।
ପୋଲିସ ସୂତ୍ରରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ମୃତ ଏସ୍ଆଇ ରମଣୱାଲ ସିଂ ଯାଦବ ଲକ୍ଷ୍ନୌରୁ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ଆସାମ ଆସିଥିଲେ । ଏହି ଗୁଳିକାଣ୍ଡ କାହିଁକି ହୋଇଛି, ପ୍ରେମବରମଙ୍କ ମାନସିକ ଚାପ ଥିବା ନାଁ ଅନ୍ୟ କୌଣସି ଶତ୍ରୁତା ପାଇଁ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।