ଖୋର୍ଦ୍ଧା: ଓଡ଼ିଶାରେ ପାଇପ୍ ମାଧ୍ୟମରେ ପ୍ରାକୃତିକ ଗ୍ୟାସ (PNG) ଯୋଗାଣ ବ୍ୟବସ୍ଥା ଦ୍ରୁତ ଗତିରେ ବିସ୍ତାର ଲାଭ କରୁଛି। ରାଜ୍ୟର ୧ ଲକ୍ଷ ୯୦ ହଜାରରୁ ଅଧିକ ପରିବାର ଏବେ ଘରେ ବସି PNG ସଂଯୋଗର ସୁବିଧା ପାଉଛନ୍ତି। ସୋମବାର ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ଏହି ସୂଚନା ଦେଇଛନ୍ତି।
ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ (PNGRB) ଦ୍ୱାରା ଅନୁମୋଦିତ ସଂସ୍ଥାଗୁଡ଼ିକ ରାଜ୍ୟରେ ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ୍ (CGD) ନେଟୱର୍କର ବିକାଶ କାର୍ଯ୍ୟ କରୁଛନ୍ତି। ଓଡ଼ିଶାର ସମସ୍ତ ଜିଲ୍ଲାକୁ ୧୨ଟି ଭୌଗୋଳିକ କ୍ଷେତ୍ରରେ ବିଭକ୍ତ କରି CGD ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି।
ଚଳିତ ବର୍ଷ ମେ' ୩୧ ସୁଦ୍ଧା ରାଜ୍ୟରେ ମୋଟ ୧,୯୦,୫୫୧ଟି ଘରୋଇ PNG ସଂଯୋଗ ଦିଆଯାଇଥିବା ବେଳେ ୧୫୯ଟି CNG ଷ୍ଟେସନ୍ ସ୍ଥାପନ କରାଯାଇଛି। ଏହା ସହିତ ୯,୦୪୦ ଇଞ୍ଚ-କିଲୋମିଟର ପାଇପଲାଇନ୍ ନେଟୱର୍କ ମଧ୍ୟ ବିଛାଯାଇଛି।
ଜିଲ୍ଲାଭିତ୍ତିକ ତଥ୍ୟ ଅନୁଯାୟୀ, PNG ସଂଯୋଗ କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲା ସବୁଠାରୁ ଆଗରେ ରହିଛି। ଏଠାରେ ୭୬,୯୧୧ଟି ପରିବାରକୁ PNG ସଂଯୋଗ ମିଳିଛି। ଏହା ପଛକୁ କଟକରେ ୩୭,୯୯୬, ସୁନ୍ଦରଗଡ଼ରେ ୧୫,୮୨୫, ବରଗଡ଼ରେ ୧୧,୨୯୨ ଓ ଜଗତସିଂହପୁରରେ ୧୧,୨୩୬ଟି ସଂଯୋଗ ଦିଆଯାଇଛି। ସମ୍ବଲପୁରରେ ୮,୮୬୭, ପୁରୀରେ ୮,୧୬୩, ଢେଙ୍କାନାଳରେ ୭,୮୮୫, ଝାରସୁଗୁଡ଼ାରେ ୫,୨୩୫, ଯାଜପୁରରେ ୨,୨୨୦ ଏବଂ ଅନୁଗୋଳରେ ୧,୧୬୬ଟି PNG ସଂଯୋଗ ରହିଛି।
ଅନ୍ୟପକ୍ଷରେ ଗଞ୍ଜାମରେ ୨୫୭ ଓ ବଲାଙ୍ଗିରରେ ମାତ୍ର ୩୮ଟି ସଂଯୋଗ ହୋଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, ଗଜପତି, କନ୍ଧମାଳ, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡ଼ା ଓ ରାୟଗଡ଼ା ଭଳି ଜିଲ୍ଲାରେ ନେଟୱର୍କ ବିକାଶ କାମ ଚାଲିଛି।
ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାର CGD ନେଟୱର୍କରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ମାର୍ଚ୍ଚ ୨୦୨୨ରେ ରାଜ୍ୟରେ ୬୦,୫୯୬ଟି PNG ସଂଯୋଗ ଥିବା ବେଳେ ମାର୍ଚ୍ଚ ୨୦୨୬ ସୁଦ୍ଧା ଏହା ବୃଦ୍ଧି ପାଇ ୧,୮୪,୯୯୭ରେ ପହଞ୍ଚିଛି। ସେହିପରି CNG ଷ୍ଟେସନ୍ ସଂଖ୍ୟା ୩୪ରୁ ବଢ଼ି ୧୫୯ରେ ପହଞ୍ଚିଥିବା ବେଳେ ପାଇପଲାଇନ୍ ନେଟୱର୍କ ୨,୯୯୦ ଇଞ୍ଚ-କିଲୋମିଟରରୁ ବୃଦ୍ଧି ପାଇ ୮,୮୨୧ ଇଞ୍ଚ-କିଲୋମିଟରରେ ପହଞ୍ଚିଛି।
କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ, ୨୦୩୩ ସୁଦ୍ଧା ଓଡ଼ିଶାରେ ୯,୦୯,୫୮୨ଟି ଘରୋଇ PNG ସଂଯୋଗ, ୨୪୭ଟି CNG ଷ୍ଟେସନ୍ ଏବଂ ୧୪,୩୨୦ ଇଞ୍ଚ-କିଲୋମିଟର ପାଇପଲାଇନ୍ ନିର୍ମାଣର ଲକ୍ଷ୍ୟ ରଖାଯାଇଛି। ଭାରତ ପେଟ୍ରୋଲିୟମ, ଗେଲ୍ ଗ୍ୟାସ, ଅଦାନୀ ଟୋଟାଲ୍ ଗ୍ୟାସ, ଗେଲ୍ ଇଣ୍ଡିଆ ଓ ମେଘା ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ୍ ଭଳି ସଂସ୍ଥା ଏହି ପ୍ରକଳ୍ପକୁ ଆଗେଇ ନେଉଛନ୍ତି।