ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ଛାଡ଼ି ଭାରତୀୟ ଜନତା ପାର୍ଟି (ବିଜେପି)ରେ କାହିଁକି ସାମିଲ ହୋଇଥିଲେ, ସେନେଇ ପ୍ରଥମ ଥର ପାଇଁ ସ୍ପଷ୍ଟ ମତ ରଖିଛନ୍ତି କୋରେଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଆକାଶ ଦାସ ନାୟକ।
ଆକାଶ କହିଛନ୍ତି, "ବିଜୁବାବୁ ସମସ୍ତଙ୍କ ପାଇଁ ନମସ୍ୟ। କିନ୍ତୁ ବିଜେଡି ଯେତେବେଳେ ବିଜୁବାବୁଙ୍କ ନୀତି ଓ ଆଦର୍ଶରୁ ବିଚ୍ୟୁତ ହେଲା, ସେତେବେଳେ ଦଳରୁ ବିଜୁବାବୁଙ୍କ ଚିନ୍ତାଧାରା ଉଭେଇ ଗଲା। ଦଳରେ ଅନ୍ୟମାନଙ୍କ ଚେହେରା ଦେଖାଗଲା ଏବଂ ବ୍ୟବସାୟୀମାନେ ଦଳକୁ ଅକ୍ତିଆର କରିନେଲେ।"
ସେ ଆହୁରି କହିଛନ୍ତି, ଏଭଳି ପରିସ୍ଥିତିରେ ନୈତିକତା ଦୃଷ୍ଟିରୁ ସେ ବିଜେଡିରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ।
ଆକାଶଙ୍କ ଏହି ବୟାନ ରାଜ୍ୟ ରାଜନୀତିରେ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷ କରି ବିଜେଡିର ସଂଗଠନ, ନେତୃତ୍ୱ ଓ ଆଦର୍ଶକୁ ନେଇ ତାଙ୍କ ମନ୍ତବ୍ୟ ଆଗାମୀ ଦିନରେ ରାଜନୈତିକ ବିତର୍କକୁ ଆହୁରି ତୀବ୍ର କରିପାରେ।