ଭୁବନେଶ୍ୱର: ପ୍ରତି ଓଡ଼ିଆଙ୍କ ପାଇଁ ଗର୍ବ ତଥା ବଡ ଖବର। ଓଡ଼ିଶାର ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଐତିହ୍ୟର ଏକ ବଡ଼ ସ୍ୱୀକୃତି ସ୍ୱରୂପ ଶ୍ରୀଜୀଉଙ୍କ ରଥଯାତ୍ରାରେ ବ୍ୟବହୃତ ତିନି ରଥର ଗୋଟିଏ ଲେଖାଏଁ ପବିତ୍ର ଚକ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ସ୍ଥାପନ କରାଯିବ।
ଏହି ରଥଚକ ସ୍ଥାପନ ପ୍ରସ୍ତାବକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ପକ୍ଷରୁ ଉପସ୍ଥାପନ କରାଯିବା ପରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏନେଇ ନିଜର ଅନୁମୋଦନ ଦେଇଛନ୍ତି। ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାର ଏହି ପବିତ୍ର ପ୍ରତୀକ ଏବେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ବାସଭବନରେ ଶୋଭା ବର୍ଦ୍ଧନ କରିବ ।
ସୂଚନାଯୋଗ୍ୟ ସୋମବାର ଦିନ ଭୁବନେଶ୍ୱର ସ୍ଥିତ ଲୋକ ଭବନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଏହି ପ୍ରସ୍ତାବକୁ ଆନୁଷ୍ଠାନିକ ଭାବେ ପ୍ରଦାନ କରିଥିଲେ। ରାଷ୍ଟ୍ରପତି ଏହି ପଦକ୍ଷେପକୁ ତୁରନ୍ତ ଅନୁମୋଦନ କରିଛନ୍ତି ଯାହା ଫଳରେ ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଥିବା ଜଗନ୍ନାଥ ପରମ୍ପରାକୁ ସମ୍ମାନ ଜଣାଇ ରାଷ୍ଟ୍ରପତି ଭବନ ପରିସରରେ ପବିତ୍ର ରଥଚକ ପ୍ରଦର୍ଶିତ ହେବ । ଏହି ପ୍ରସ୍ତାବିତ ଚକଗୁଡ଼ିକ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଅଂଶ।ଖୁବଶୀଘ୍ର ଏହି ରଥ ଚକଗୁଡ଼ିକୁ ରାଷ୍ଟ୍ରପତି ଭବନକୁ ସ୍ଥାନାନ୍ତର କରାଯିବ।
ଏହି ପଦକ୍ଷେପ ଶ୍ରୀଜଗନ୍ନାଥ ସଂସ୍କୃତିର ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର ଓ ଗୁରୁତ୍ୱକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।