କେନ୍ଦ୍ରାପଡା: ଓଡ଼ିଶାରେ ବନ୍ୟା ପରିସ୍ଥିତିକୁ ନେଇ ସରକାରଙ୍କ ତତ୍ପରତା ଜାରି ରହିଛି। ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି। ସେ ବନ୍ୟା ପୀଡ଼ିତଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିବା ସହ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅଧିକାରୀଙ୍କଠାରୁ ସୂଚନା ନେଇଛନ୍ତି।
ଆଳି ବ୍ଲକର ସାନସିଦ୍ଧା-ପେଟାପଡ଼ା ଗ୍ରାମ ପଞ୍ଚାୟତ ଅଧୀନ ଭୁଇଁପୁର ଗାଁରେ ପହଞ୍ଚି ଉପମୁଖ୍ୟମନ୍ତ୍ରୀ ସ୍ଥାନୀୟ ବାସିନ୍ଦାଙ୍କ ସହ ମତବିନିମୟ କରିଥିଲେ। ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ଅସୁବିଧା, ରିଲିଫ୍ ବଣ୍ଟନ ଏବଂ ପୁନର୍ବାସ ବ୍ୟବସ୍ଥା ସମ୍ପର୍କରେ ସେ ଲୋକଙ୍କଠାରୁ ସିଧାସଳଖ ମତାମତ ଗ୍ରହଣ କରିଥିଲେ।
ଏହାପୂର୍ବରୁ ସେ ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗାଁ ଗ୍ରାମ ପଞ୍ଚାୟତ ଅଧୀନ ଡାଣ୍ଡିସାହି ଛକ ଓ କୃଷ୍ଣଦାସପୁର, ଅନ୍ଧର ଗ୍ରାମ ପଞ୍ଚାୟତର ହରିଜନ ସାହି ଏବଂ ଅମୃତମନୋହୀ ଗ୍ରାମ ପଞ୍ଚାୟତର ଜଗନ୍ନାଥପୁର ଗସ୍ତ କରିଥିଲେ। ସେଠାରେ ବନ୍ୟା ପ୍ରଭାବିତ ପରିବାରଙ୍କ ସହ ଆଲୋଚନା କରି ରିଲିଫ୍ ସାମଗ୍ରୀ ବଣ୍ଟନ ଓ ପ୍ରଶାସନର କାର୍ଯ୍ୟକଳାପର ସମୀକ୍ଷା କରିଥିଲେ। ଏହି ଗସ୍ତ ସମୟରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଉପସ୍ଥିତ ଥିଲେ।
ସମ୍ପ୍ରତି ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ବନ୍ୟା ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ରିଲିଫ୍ ଓ ପୁନର୍ବାସ କାର୍ଯ୍ୟର ତଦାରଖ ଦାୟିତ୍ୱ କନକ ବର୍ଦ୍ଧନ ସିଂହଦେଓଙ୍କୁ ଦେଇଥିଲେ। ସେହି ପରିପ୍ରେକ୍ଷୀରେ ତାଙ୍କର ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି।
ରାଜ୍ୟ ସରକାର ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ବଣ୍ଟନ, ଜରୁରୀ ସେବାର ପୁନଃସ୍ଥାପନ ଏବଂ କ୍ଷତିଗ୍ରସ୍ତ ପରିବାରଙ୍କ ପୁନର୍ବାସକୁ ଗୁରୁତ୍ୱ ଦିଆଯାଉଛି। ଉପମୁଖ୍ୟମନ୍ତ୍ରୀଙ୍କ ଏହି କ୍ଷେତ୍ର ପରିଦର୍ଶନର ଉଦ୍ଦେଶ୍ୟ ଥିଲା ସରକାରୀ ପଦକ୍ଷେପର ଅଗ୍ରଗତି ଯାଞ୍ଚ କରିବା ସହ ବନ୍ୟା ପୀଡ଼ିତଙ୍କଠାରୁ ପ୍ରତ୍ୟକ୍ଷ ମତାମତ ସଂଗ୍ରହ କରିବା।