ଭଦ୍ରକ: ଭଦ୍ରକ ଜିଲ୍ଲାରେ ପୁଣି ମାତିଛନ୍ତି ଡକାୟତ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଜଗଦଲପୁର ଗାଁରେ ବନ୍ଧୁକ ମୁନରେ ଏକ ପରିବାରକୁ ଭୟଭୀତ କରି ସୁନା ଅଳଙ୍କାର, ରୂପା ସାମଗ୍ରୀ ଓ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଗାଁର ନିରଞ୍ଜନ ଶତପଥୀଙ୍କ ଘରକୁ ଗତକାଲି ରାତି ପ୍ରାୟ ୯ଟା ବେଳେ ୪ ଜଣ ସଶସ୍ତ୍ର ଦୁର୍ବୃତ୍ତ ପହଞ୍ଚିଥିଲେ। କବାଟ ବାଡ଼େଇବା ପରେ ନିରଞ୍ଜନ କବାଟ ଖୋଲିବା ମାତ୍ରେ ବନ୍ଧୁକ ଦେଖାଇ ଘର ଭିତରକୁ ପଶିଯାଇଥିଲେ। ପରିବାର ଲୋକଙ୍କୁ ଧମକ ଦେଇ ଘରେ ଥିବା ସୁନା ଓ ରୂପା ଅଳଙ୍କାର ସହ ଲକ୍ଷ ଲକ୍ଷ ଟଙ୍କା ନଗଦ ଲୁଟି ନେଇ ଫେରାର ହୋଇଯାଇଥିଲେ।
ତେବେ ଡକାୟତମାନେ ଫେରାର ହେଉଥିବା ବେଳେ ଗାଁ ଲୋକେ ଘଟଣା ବିଷୟରେ ଜାଣିପାରି ସେମାନଙ୍କ ପିଛା କରିଥିଲେ। ଜଣେ ଡକାୟତକୁ ଗ୍ରାମବାସୀ କାବୁ କରିଥିଲେ। ତାଙ୍କୁ ଅଟକ ରଖିବା ସହ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା। ଅନ୍ୟ ୩ ଜଣ ଦୁର୍ବୃତ୍ତ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଧରାପଡ଼ିଥିବା ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଛି। ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଥିବା ବେଳେ ଲୁଟ୍ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ଏହି ଘଟଣା ପରେ ଜଗଦଲପୁର ଓ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି