ରାୟଗଡ଼ା: ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ ଚାନ୍ଦିଲି ଥାନା ଅନ୍ତର୍ଗତ ରିଭଲକଣା ସରକାରୀ ବିଦ୍ୟାଳୟର ହଷ୍ଟେଲରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ଦଶମ ଶ୍ରେଣୀର କିଛି ଛାତ୍ର ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରମାନଙ୍କୁ ଅମାନବୀୟ ଭାବେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ହଷ୍ଟେଲରେ ରହୁଥିବା ଛାତ୍ରମାନେ ଭୟଭୀତ ଅବସ୍ଥାରେ ରହିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତ ଶନିବାର ହଷ୍ଟେଲରେ ରହୁଥିବା ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରମାନେ ବିଦ୍ୟାଳୟ ପରିସରରେ କ୍ରିକେଟ ଖେଳୁଥିଲେ। ଖେଳ ଶେଷ ହେବାରେ ବିଳମ୍ବ ହୋଇଥିବାରୁ ସେମାନେ ନିର୍ଦ୍ଧାରିତ ସଫେଇ କାମ କରିପାରିନଥିଲେ। ଏହାକୁ ନେଇ ଦଶମ ଶ୍ରେଣୀର କିଛି ଛାତ୍ର ରାଗିଯାଇ ସେମାନଙ୍କୁ ଡାକି ମାଡ଼ ମାରିବା ସହ କାହାକୁ ଏ ସମ୍ପର୍କରେ ନ କହିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।
ପରେ ପୀଡ଼ିତ ଛାତ୍ରମାନେ ସାହସ କରି ପ୍ରଧାନଶିକ୍ଷକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। କିନ୍ତୁ ଏଥିରେ କ୍ଷୁବ୍ଧ ହୋଇ ରବିବାର ଦଶମ ଶ୍ରେଣୀର ଛାତ୍ରମାନେ ପୁଣିଥରେ ଅଷ୍ଟମ ଶ୍ରେଣୀର ତିନିଜଣ ଓ ନବମ ଶ୍ରେଣୀର ପ୍ରାୟ ୩୦ ଜଣ ଛାତ୍ରଙ୍କୁ କ୍ରିକେଟ ବ୍ୟାଟ୍, ନଡ଼ିଆ ଗଛର ବାହୁଙ୍ଗି ଓ ବାଡ଼ିରେ ନିର୍ଦ୍ଦୟ ଭାବେ ପିଟିଥିବା ଅଭିଯୋଗ ହୋଇଛି।
ସବୁଠାରୁ ବଡ଼ କଥା ହେଲା, ଘଟଣାର ତିନି ଦିନ ବିତିଯାଇଥିଲେ ମଧ୍ୟ ମାଡ଼ ଖାଇଥିବା ଛାତ୍ରମାନଙ୍କ ପରିବାରକୁ ବିଦ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା ଅଭିଯୋଗ ହୋଇଛି। ଘଟଣା ପରେ ମାଡ଼ ମାରିଥିବା ଦଶମ ଶ୍ରେଣୀର ଛାତ୍ରଙ୍କୁ ଘରକୁ ପଠାଇ ଦିଆଯାଇଥିବା ବେଳେ, ଅନ୍ୟପଟେ ପୀଡ଼ିତ ଛାତ୍ରମାନେ ଏବେ ବି ଭୟ ଓ ଆତଙ୍କ ମଧ୍ୟରେ ରହିଛନ୍ତି। ଏହି ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବା ବେଳେ ସମ୍ପୂର୍ଣ୍ଣ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଦାବି ହେଉଛି।