ନୂଆଦିଲ୍ଲୀ: ନବମ ଶ୍ରେଣୀରେ ତିନୋଟି ଭାଷା ବାଧ୍ୟତାମୂଳକ କରାଯିବାକୁ ନେଇ କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ସୁପ୍ରିମକୋର୍ଟରେ ଆପତ୍ତି ଉଠାଇଛି । ଜଣେ ନବମ ଶ୍ରେଣୀ ଛାତ୍ର ଉପରେ ଏହାକୁ ଲଦି ନ ଦେବାକୁ ସିବିଏସଇ ଗୁହାରୀ କରିଛି । ଏହି ମାମଲାର ତ୍ୱରିତ ଶୁଣାଣି କରିବାକୁ ସିବିଏସଇର ପକ୍ଷ ରଖୁଥିବା ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କର ନାରାୟଣ ଅପିଲ୍ କରିଛନ୍ତି ।
ସିବିଏସଇରେ ତିନୋଟି ଭାଷା ବାଧ୍ୟତାମୂଳକ ବିରୋଧରେ ହୋଇଥିବା ଆବେଦନର ସୁପ୍ରିମକୋର୍ଟ ମଙ୍ଗଳବାର ଶୁଣାଣି କରିଛନ୍ତି । ପ୍ରଧାନ ବିଚାରପତି ସୂର୍ୟ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଆଇନଜୀବୀ ଗୋପାଳ ଶଙ୍କର ନାରାୟଣ କୋର୍ଟଙ୍କୁ ଜଣାଇଥିଲେ ଏହି ନିୟମ ପଞ୍ଚମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଏବଂ ଅଷ୍ଟମରୁ ଦଶମ ଯାଏଁ ରହିଛି । କିନ୍ତୁ ତିନୋଟି ଭାଷା ପଢ଼ାଇବାକୁ ବିଦ୍ୟାଳୟମାନଙ୍କରେ ଆବଶ୍ୟକ ପରିମାଣର ଶିକ୍ଷକ ନାହାଁନ୍ତି ଏବଂ ବହି ନାହିଁ । ପିଲାମାନେ ବିନା ବହିରେ ବସି ରହୁଛନ୍ତି । ସେ ପଶ୍ଚିମବଙ୍ଗର ଉଦାହରଣ ଦେଇ କହିଛନ୍ତି ଯେ ସେଠାରେ ହିନ୍ଦୀ, ବଙ୍ଗାଳୀ ଏବଂ ସଂସ୍କୃତ ଭାଷା ବିକଳ୍ପ ରହିଛି । କିନ୍ତୁ ଆବଶ୍ୟକ ପରିମାଣରେ ହିନ୍ଦୀ ଏବଂ ସଂସ୍କୃତ ଶିକ୍ଷକ ନାହାଁନ୍ତି । ଏହି ନିୟମ ୨୦୩୦ରେ ଲାଗୁ ହେବାର ଥିବାବେଳେ ୨୨ଟି ଭାଷାର ବିକଳ୍ପ ରହିବା ଜରୁରୀ । ଯାହାର ଜବାବରେ ବିଚାରପତି ଜୟମାଲ୍ୟ ବାଗଚୀ କହିଥିଲେ ଯେ ଭାଷା ବିକଳ୍ପ ଷଷ୍ଠ ଶ୍ରେଣୀରୁ ହେବା ଉଚିତ । ଆଇନଜୀବୀ ନାରାୟଣ ନବମ ଶ୍ରେଣୀରୁ ଏହାକୁ ବାଦ ଦେବାକୁ ଜୋର ଦେଇଛନ୍ତି ।
ଏହା ସହିତ ସିବିଏସଇ ପକ୍ଷରୁ ତ୍ୱରିତ ଶୁଣାଣି ପାଇଁ ଗୁହାରି କରାଯାଇଛି । ପ୍ରଥମେ ମାମଲାକୁ ଆସନ୍ତାକାଲି ସୁପ୍ରିମକୋର୍ଟ କାର୍ୟ୍ୟାବଳୀରେ ସୂଚିବଦ୍ଧ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ହଟାଇ ଦିଆଯାଇଥିବା ଜଣାପଡ଼ିଛି । ତେବେ ମାମଲାର ପରବର୍ତ୍ତୀ ଶୁଣାଣି କେବେ ହେବ ତାହା ସ୍ପଷ୍ଟ ହୋଇ ନାହିଁ ।