ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା-୨୦୨୬ ଅବସରରେ ପୁରୀ ପୋଲିସ ଅପରାଧ ନିୟନ୍ତ୍ରଣ ଏବଂ ଭକ୍ତଙ୍କ ସୁରକ୍ଷା ପାଇଁ ଚଳାଇଥିବା ସ୍ୱତନ୍ତ୍ର ଅଭିଯାନରେ ବଡ଼ ସଫଳତା ହାସଲ କରିଛି। ପୁରୀ ପୋଲିସର ସ୍ୱତନ୍ତ୍ର ଆଣ୍ଟି-ସ୍ନାଚିଂ ଟିମ୍ ରଥଯାତ୍ରା ସମୟରେ ମୋଟ ୧୭୫ ଜଣ ଛିନତାଇକାରୀଙ୍କୁ ଗିରଫ କରିଥିବା ବେଳେ ୩୦୪ଟି ହଜିଯାଇଥିବା ମୋବାଇଲ ଫୋନ୍ ଉଦ୍ଧାର କରି ମାଲିକଙ୍କୁ ଫେରାଇଛି।
ମଙ୍ଗଳବାର ପୁରୀ ପୋଲିସ ତାହାର ଅଧିକୃତ ‘ଏକ୍ସ’ (ପୂର୍ବତନ ଟ୍ୱିଟର) ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛି। ପୋଲିସ କହିଛି ଯେ, ରଥଯାତ୍ରା ସମୟରେ ହଜିଥିବା ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀକୁ ଉଦ୍ଧାର କରି ଯାଞ୍ଚ ପରେ ‘ମିସିଂ ମୋବାଇଲ ମେଳା’ ମାଧ୍ୟମରେ ପ୍ରକୃତ ମାଲିକଙ୍କ ହାତରେ ହସ୍ତାନ୍ତର କରାଯାଇଛି।
ପ୍ରତିବର୍ଷ ରଥଯାତ୍ରାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସୁଥିବାରୁ ଭିଡ଼ର ସୁଯୋଗ ନେଇ ଛିନତାଇ ଓ ମୋବାଇଲ ଚୋରି ଭଳି ଘଟଣା ବଢ଼ିଥାଏ। ଏଥିପାଇଁ ପୁରୀ ପୋଲିସ ସ୍ୱତନ୍ତ୍ର ଆଣ୍ଟି-ସ୍ନାଚିଂ ଟିମ୍ ଗଠନ କରି କଡ଼ା ନଜରଦାରି କରିଥିଲା, ଯାହାର ଫଳସ୍ୱରୂପ ଏହି ଉଲ୍ଲେଖନୀୟ ସଫଳତା ମିଳିଛି।
ଉଦ୍ଧାର ହୋଇଥିବା ମୋବାଇଲ ଫେରି ପାଇବା ପରେ ଅନେକ ଲୋକ ପୁରୀ ପୋଲିସକୁ ଧନ୍ୟବାଦ ଜଣାଇବା ସହ ସନ୍ତୋଷ ପ୍ରକାଶ କରିଥିଲେ। ପୋଲିସ କହିଛି ଯେ, ଏଭଳି ପଦକ୍ଷେପ ଜନସାଧାରଣଙ୍କ ମଧ୍ୟରେ ପୋଲିସ ପ୍ରତି ବିଶ୍ୱାସକୁ ଆହୁରି ମଜବୁତ କରିଛି ଏବଂ ଜନମୁଖୀ ପୋଲିସିଂ ପ୍ରତି ସେମାନଙ୍କ ପ୍ରତିବଦ୍ଧତାକୁ ପ୍ରମାଣ କରିଛି।
ଏଥିସହ ପୁରୀ ପୋଲିସ ଆହ୍ୱାନ କରିଛି ଯେ, ଯେଉଁମାନଙ୍କର ମୋବାଇଲ ହଜିଯାଇଛି କିମ୍ବା ଏପର୍ଯ୍ୟନ୍ତ ଅଭିଯୋଗ କରିନାହାନ୍ତି, ସେମାନେ Puri Police Sahayak WhatsApp Chatbot (+91 87631 99400) ମାଧ୍ୟମରେ ଅଭିଯୋଗ ପଞ୍ଜିକରଣ କରିପାରିବେ।