ମୟୁରଭଞ୍ଜ : ନାଳ ପାଣିରେ ଭାସି ଜଣେ ଦୁଇ ବର୍ଷର ନାବାଳିକର ଅଭାବନୀୟ ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣକ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବୁଢ଼ୀଖୋମାରୀ ଗ୍ରାମର ଅର୍ଜୁନ ମାରାଣ୍ଡିଙ୍କ ୨ ବର୍ଷର ଝିଅ ରୁପିମଣି ମାରାଣ୍ଡି।
ମିଳିଥିବା ସୂଚନା ଅନୁସାରେ ସୋମବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ରୁପିମଣି ଘର ପାଖ ସଙ୍କରାଇ ନାଳ ନିକଟରେ ଖେଳୁଥିବା ବେଳେ କୌଣସି କାରଣବଶତଃ ପାଣିସ୍ରୋତରେ ଭାସି ଯାଇଥିଲେ। ପରିବାର ଲୋକେ ତୁରନ୍ତ ଏ ନେଇ ବାଙ୍ଗିରିପୋଷି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବ୍ୟାପକ ଖୋଜାଖୋଜି କରିଥିଲେ ସୁଦ୍ଧା ନାବାଳିକାଙ୍କ କୌଣସି ସନ୍ଧାନ ପାଇନଥିଲେ। ମଙ୍ଗଳବାର ସକାଳେ ନିଖୋଜ ହୋଇଥିବା ସ୍ଥାନଠାରୁ ପ୍ରାୟ ଏକ କିଲୋମିଟର ଦୂରରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରେ ତାଙ୍କୁ ତୁରନ୍ତ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣାକୁ ନେଇ ବାଙ୍ଗିରିପୋଷି ପୋଲିସ ଏକ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି।