କେନ୍ଦୁଝର : ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଜୁଆଙ୍ଗ ଯୁବକଙ୍କୁ ମିଳିଲା ନିମନ୍ତ୍ରଣପତ୍ର। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଗୋନାସିକା ଗ୍ରାମର ଯୁବକ ମାୟାଧର ଜୁଆଙ୍ଗଙ୍କୁ ନିମନ୍ତ୍ରଣ ଆସିଛି । ଏହା କୌଣସି ସାଧାରଣ ନିମନ୍ତ୍ରଣ ନୁହେଁ ଏହି ନିମନ୍ତ୍ରଣପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଭବନରୁ ଆସିଛି ।
ଆସନ୍ତା ଅଗଷ୍ଟ ପନ୍ଦର ତାରିଖ ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଏହି ନିମନ୍ତ୍ରଣପତ୍ର ଆସିଛି । ଯାହାକୁ ନେଇ ମାୟାଧର ଜୁଆଙ୍ଗଙ୍କର ଖୁସି କହିଲେ ନସରେ ।
ସୂଚନା ଥାଉକି ୨୦୨୩ ମସିହାରେ ମହାମହିମ ରାଷ୍ଟ୍ରପତି ଗୋନାସିକା ଗସ୍ତ କରିଥିଲେ । ଏହି ସମୟରେ ମହାମହିମଙ୍କୁ ଭେଟିଥିଲେ ମାୟାଧର । ଜୁଆଙ୍ଗ ଅଂଚଳର ଉନ୍ନତି ପାଇଁ ଜୁଆଙ୍ଗ ଉନ୍ନୟନ ପରିଷଦ ଅଧୀନରେ କାର୍ଯ୍ୟ କରୁଥିଲେ ମାୟାଧର । ଯାହାର ମୂଳ ଲକ୍ଷ୍ୟ ଥିଲା ଜୁଆଙ୍ଗ ମାନଙ୍କର ସର୍ବାଙ୍ଗୀନ ଉନ୍ନତି କରିବା। ମାୟଧରଙ୍କର ଏହି ପ୍ରଚେଷ୍ଟା ମହାମହିମଙ୍କୁ ଆକୃଷ୍ଟ କରିଥିଲା । ଯାହାର ଫଳସ୍ୱରୂପ ୩ବର୍ଷ ପରେ ମଧ୍ୟ ରାଷ୍ଟ୍ରପତି ଗୋନାସିକା ଏବଂ ଗୋନାସିକା ଅଞ୍ଚଳର ଜୁଆଙ୍ଗ ଯୁବକ ମାୟାଧରଙ୍କୁ ଭୁଲି ନାହାନ୍ତି। ମାୟାଧରଙ୍କ ଏହି ମହାନ କାର୍ଯ୍ୟ ପାଇଁ ତାଙ୍କୁ ସମ୍ମାନିତ କରାଯିବ। ଏଥିପାଇଁ ମହାମହିମ ରାଷ୍ଟ୍ରପତିଙ୍କ ନିକଟରେ ମାୟାଧର କୃତଜ୍ଞତା ଜ୍ଞାପନ କରିଛନ୍ତି ।