ମହାକାଶରେ ପ୍ରାୟ ୧୯ ମାସ ଧରି ଘୂରି ବୁଲୁଥିବା ସ୍ପେସ୍ଏକ୍ସର ଫାଲକନ-୯ ରକେଟର ଉପର ଅଂଶ (Upper Stage) ଶେଷରେ ଚନ୍ଦ୍ରପୃଷ୍ଠରେ ଧକ୍କା ଖାଇଛି। ଭାରତୀୟ ସମୟ ଅନୁସାରେ ବୁଧବାର ଦିନ ୧୨ଟା ୦୫ ମିନିଟ୍ ସମୟରେ ଏହା ଚନ୍ଦ୍ରର ଆଇନଷ୍ଟାଇନ କ୍ରେଟର ନିକଟରେ ଖସିପଡ଼ିଥିବା ସୂଚନା ମିଳିଛି। ବୈଜ୍ଞାନିକମାନଙ୍କ ଆକଳନ ଅନୁଯାୟୀ, ଏହି ଧକ୍କା ଫଳରେ ଚନ୍ଦ୍ରପୃଷ୍ଠରେ ୨୦ରୁ ୩୦ ମିଟର ବ୍ୟାସର ଏକ ନୂଆ ଗାତ ସୃଷ୍ଟି ହୋଇଥାଇପାରେ।
ଏହି ରକେଟ୍ଟି ୨୦୨୫ ଜାନୁଆରୀରେ ଦୁଇଟି ବ୍ୟବସାୟିକ ଚନ୍ଦ୍ର ଲ୍ୟାଣ୍ଡରକୁ ବହନ କରି ଉତ୍ତକ୍ଷେପଣ କରାଯାଇଥିଲା। ମିଶନ୍ ସମାପ୍ତ ହେବା ପରେ ଏହାର ଉପର ଅଂଶ ମହାକାଶରେ ନିୟନ୍ତ୍ରଣହୀନ ଭାବେ ପରିକ୍ରମା କରୁଥିଲା। ଶେଷରେ ଚନ୍ଦ୍ରର ମାଧ୍ୟାକର୍ଷଣ ବଳ ଯୋଗୁଁ ଏହା ଚନ୍ଦ୍ରପୃଷ୍ଠ ଆଡ଼କୁ ଆକୃଷ୍ଟ ହୋଇ ଧକ୍କା ଖାଇଛି।
ମହାକାଶ ଟ୍ରାକିଂ ବିଶେଷଜ୍ଞ ବିଲ୍ ଗ୍ରେଙ୍କ ଅନୁଯାୟୀ, ରକେଟ୍ଟି ପ୍ରାୟ ୮,୭୦୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଚନ୍ଦ୍ରପୃଷ୍ଠରେ ଆଘାତ କରିଛି। ଏହି ପ୍ରଚଣ୍ଡ ଧକ୍କା ଫଳରେ ବହୁ ପରିମାଣର ଧୂଳି ଓ ପଥର ଉପରକୁ ଉଡ଼ିଥିବା ଅନୁମାନ କରାଯାଉଛି। ଚନ୍ଦ୍ରରେ ବାୟୁମଣ୍ଡଳ ନଥିବାରୁ ଏହି ଧୂଳିକଣା କିଛି ସମୟ ପର୍ଯ୍ୟନ୍ତ ମହାକାଶରେ ଭାସି ରହିପାରେ।
ଯଦିଓ ଏହି ଘଟଣା ଚମକପ୍ରଦ, ନାସା ସ୍ପଷ୍ଟ କରିଛି ଯେ ପୃଥିବୀ ପାଇଁ ଏଥିରେ କୌଣସି ବିପଦ ନାହିଁ। ନାସାର ମୁଖପାତ୍ର ଜିମି ରସେଲ କହିଛନ୍ତି, ଏହି ଧକ୍କା ପୂରାପୂରି ଚନ୍ଦ୍ରପୃଷ୍ଠରେ ସୀମିତ ରହିବ ଏବଂ ପୃଥିବୀ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।
ତେବେ ଧକ୍କା ପଡ଼ିଥିବା ମୁହୂର୍ତ୍ତକୁ ପୃଥିବୀରୁ ଦେଖିବା ସମ୍ଭବ ହୋଇନଥିଲା। ଆସନ୍ତା କିଛି ଦିନ ମଧ୍ୟରେ ନାସାର ଲୁନାର ରିକନାଇସାନ୍ସ ଅର୍ବିଟର (LRO) ଏବଂ ଦକ୍ଷିଣ କୋରିଆର ଡାନୁରି (Danuri) ଲୁନାର ଅର୍ବିଟର ଧକ୍କାସ୍ଥଳର ଚିତ୍ର ସଂଗ୍ରହ କରିବେ। ଧକ୍କା ପୂର୍ବ ଓ ପରର ଚିତ୍ରକୁ ତୁଳନା କରି ବୈଜ୍ଞାନିକମାନେ ନୂଆ ସୃଷ୍ଟି ହୋଇଥିବା ଗର୍ତ୍ତର ଆକାର, ଗଭୀରତା ଓ ପ୍ରଭାବ ସମ୍ପର୍କରେ ସଠିକ୍ ତଥ୍ୟ ଜାଣିପାରିବେ। ଏହି ଘଟଣା ଚନ୍ଦ୍ରପୃଷ୍ଠରେ ଉଚ୍ଚ ବେଗର ଧକ୍କାର ପ୍ରଭାବ ବୁଝିବାରେ ବୈଜ୍ଞାନିକମାନଙ୍କ ପାଇଁ ଏକ ମୂଲ୍ୟବାନ ଅଧ୍ୟୟନର ସୁଯୋଗ ସୃଷ୍ଟି କରିଛି।