ସୁନ୍ଦରଗଡ଼ ଜିଲ୍ଲା ଧୀରେ ଧୀରେ ସଡ଼କ ଦୁର୍ଘଟଣାର ଏକ ବଡ଼ ହଟସ୍ପଟ୍ରେ ପରିଣତ ହେଉଛି। ପ୍ରଶାସନ ପକ୍ଷରୁ ସଚେତନତା ଅଭିଯାନ, କଡ଼ା ଯାଞ୍ଚ ଓ ଟ୍ରାଫିକ୍ ନିୟନ୍ତ୍ରଣ ସତ୍ତ୍ୱେ ଜିଲ୍ଲାରେ ଦୁର୍ଘଟଣାର ଗ୍ରାଫ୍ କମିବାର ନାଁ ନେଉନାହିଁ। ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷର ପ୍ରଥମ ୬ ମାସରେ ଜିଲ୍ଲାରେ ୨୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।
ବର୍ଷା ଋତୁ ଆରମ୍ଭ ହେବା ସହିତ ରାସ୍ତା ପିଛଳା ହେବା ଓ ଦୃଶ୍ୟମାନତା କମିବାରୁ ବିପଦ ଆହୁରି ବଢ଼ିଛି। ବିଶେଷକରି ଜିଲ୍ଲାର ଖଣିଜ ସମୃଦ୍ଧ କୋଇଡ଼ା ଅଞ୍ଚଳ ଏବେ ସଡ଼କ ଦୁର୍ଘଟଣାର ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି। ଏଠାରେ ପ୍ରତିଦିନ ଶହ ଶହ ଲୁହାପଥର ବୋଝେଇ ଟ୍ରକ୍ ଓ ହାଇୱା ଚଳାଚଳ କରୁଥିବାରୁ ବାରମ୍ବାର ସାଂଘାତିକ ଦୁର୍ଘଟଣା ଘଟୁଛି।
କେବେ ଭାରୀଯାନ ପୋଲ ତଳକୁ ଖସିପଡ଼ୁଛି, ତ କେବେ କାର୍ ଓ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇ ଅନେକ ଜୀବନ ଚାଲିଯାଉଛି। ଅନେକ ଘଟଣାରେ ଅଗ୍ନିଶମ ବାହିନୀକୁ ଗାଡ଼ି କାଟି ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ପଡ଼ୁଛି। ୨୦୨୨ରୁ ୨୦୨୬ ମଧ୍ୟରେ କେବଳ କୋଇଡ଼ା ଅଞ୍ଚଳରେ ୧୦୦ରୁ ଅଧିକ ମୃତ୍ୟୁ ଏବଂ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ରହିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଖଣି ଅଞ୍ଚଳରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନଥିବା, ରାସ୍ତା କଡ଼ରେ ଭାରୀଯାନ ପାର୍କିଂ, ବେପରୁଆ ଗାଡ଼ି ଚାଳନା, ଅବ୍ୟବସ୍ଥିତ ଟ୍ରାଫିକ୍ ଏବଂ ବେଆଇନ ଗ୍ୟାରେଜ୍ ଯୋଗୁଁ ଦୁର୍ଘଟଣା ବଢ଼ୁଛି। ସ୍ଥାନୀୟ ବାସିନ୍ଦା କୃଷ୍ଣଚନ୍ଦ୍ର ବାରିକ କହିଛନ୍ତି, ପ୍ରତିଦିନ ଶହ ଶହ ଟ୍ରକ୍ ରାସ୍ତା କଡ଼ରେ ଠିଆ ହେଉଥିବାରୁ ସାଧାରଣ ଯାତାୟାତ ବାଧାପ୍ରାପ୍ତ ହେଉଛି ଓ ଦୁର୍ଘଟଣାର ଆଶଙ୍କା ବହୁଗୁଣ ବଢ଼ିଯାଉଛି।
ଏପରି ପରିସ୍ଥିତିରେ କୋଇଡ଼ା ଅଞ୍ଚଳରେ ତୁରନ୍ତ ସୁବ୍ୟବସ୍ଥିତ ପାର୍କିଂ ଜୋନ୍ ନିର୍ମାଣ, ଟ୍ରାଫିକ୍ ପରିଚାଳନାରେ ସୁଧାର ଏବଂ ଭାରୀଯାନ ଚଳାଚଳ ଉପରେ କଡ଼ା ନିୟନ୍ତ୍ରଣ ଲାଗୁ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ସଡ଼କ ଦୁର୍ଘଟଣାର ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି।