ଇମ୍ରାନ୍ ଖାନଙ୍କ ଗିରଫ ଘଟଣାକୁ ତିନି ବର୍ଷ ପୂରଣ ହେବା ଅବସରରେ PTI ସାରା ପାକିସ୍ତାନରେ ବିକ୍ଷୋଭ ପ୍ରଦର୍ଶନ କରିଛି। ସବୁଠାରୁ ବଡ଼ ରାଲି ପେଶାୱାରରେ ହୋଇଥିବା ବେଳେ ଅନେକ ସହରରେ ପ୍ରଶାସନ କଟକଣା କଡ଼ାକଡ଼ି କରିଛି।
ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ଜାରି ରହିଥିବା ହିଂସାକାଣ୍ଡ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଗିରଫଦାରୀକୁ ତିନି ବର୍ଷ ପୂରଣ ହେବା ଅବସରରେ ବୁଧବାର ଦିନ ତାଙ୍କ ଦଳ ପାକିସ୍ତାନ ତେହେରିକ୍-ଇ-ଇନ୍ସାଫ୍ (PTI) ସାରା ଦେଶରେ ବିରୋଧ ପ୍ରଦର୍ଶନ କରିଛି। ପୋଲିସର କଟକଣା ଏବଂ ଅନେକ ସ୍ଥାନରେ ପ୍ରଶାସନର ରୋକ୍ ସତ୍ତ୍ୱେ ଦଳୀୟ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ପଞ୍ଜାବ, ସିନ୍ଧ ଏବଂ ବାଲୋଚିସ୍ତାନରେ ରାଲି ପାଇଁ ଅନୁମତି ନମିଳିବା ହେତୁ ସବୁଠାରୁ ବଡ଼ ରାଲି ଖାଇବର ପାଖ୍ତୁନ୍ଖ୍ୱାର ରାଜଧାନୀ ପେଶାୱାରରେ ଅନୁଷ୍ଠିତ ହୋଇଥିଲା। PTI କହିଛି ଯେ ଇମ୍ରାନ୍ ଖାନ୍ଙ୍କ ମୁକ୍ତି ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ।
ଦଳର ବରିଷ୍ଠ ନେତା ଶେଖ୍ ୱକାସ୍ ଅକ୍ରମ୍ କହିଛନ୍ତି ଯେ ସମସ୍ତ କର୍ମୀଙ୍କୁ ନିଜ ନିଜ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିବାକୁ କୁହାଯାଇଥିଲା। ସେ ଅଭିଯୋଗ କରିଛନ୍ତି ଯେ ଅନେକ ସ୍ଥାନରେ ପୋଲିସ ଦଳୀୟ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା, କିନ୍ତୁ ଏହା ସତ୍ତ୍ୱେ ବହୁ ସଂଖ୍ୟାରେ ଲୋକ ବିକ୍ଷୋଭରେ ସାମିଲ ହୋଇଥିଲେ। ଦଳର କହିବା କଥା ଯେ ତାହା ଗଣତନ୍ତ୍ର, ସମ୍ବିଧାନ ଏବଂ ଆଇନର ଶାସନ ପୁନରୁଦ୍ଧାର ପାଇଁ ମଧ୍ୟ ସ୍ୱର ଉତ୍ତୋଳନ କରୁଛି।
ରାଲିରେ ସାମିଲ ହେଲେ ଇମ୍ରାନ୍ ଇମ୍ରାନ୍ ଖାନଙ୍କ ଭଉଣୀମାନେ
ପେଶାୱାର ରାଲିରେ ଇମ୍ରାନ୍ ଖାନଙ୍କ ଦୁଇ ଭଉଣୀ ସାମିଲ ହୋଇଥିଲେ। PTI ର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁନିସ୍ ଇଲାହୀ କହିଛନ୍ତି ଯେ ଜେଲ୍ରେ ଇମ୍ରାନ୍ ଖାନ୍ଙ୍କୁ ଅନେକ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ପରିବାର ଲୋକଙ୍କ ସହ ସାକ୍ଷାତ କରିବାକୁ ଦିଆଯାଉ ନାହିଁ ଏବଂ ସଠିକ୍ ଚିକିତ୍ସା ମଧ୍ୟ ମିଳୁନାହିଁ।
ମାନବାଧିକାର ସଂଗଠନ 'ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ୍' ମଧ୍ୟ ପାକିସ୍ତାନ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛି। ସଂଗଠନର ଦକ୍ଷିଣ ଏସିଆର କାର୍ଯ୍ୟକାରୀ ଆଞ୍ଚଳିକ ନିର୍ଦ୍ଦେଶିକା ଇସାବେଲ୍ ଲାସି କହିଛନ୍ତି ଯେ ଇମ୍ରାନ୍ ଖାନ୍ଙ୍କୁ ନିରପେକ୍ଷ ଶୁଣାଣିର ଅଧିକାର ମିଳିନାହିଁ। ତାଙ୍କୁ ଦୀର୍ଘ ସମୟ ଧରି ଏକାକୀ ରଖାଯାଇଥିଲା, ଚିକିତ୍ସା ଏବଂ ପରିବାରକୁ ଭେଟିବାର ସୁବିଧା ମଧ୍ୟ ସୀମିତ କରିଦିଆଯାଇଛି। ସଂଗଠନର ଦାବି ଅନୁସାରେ, ଇମ୍ରାନ୍ ଗତ ଆଠ ମାସ ହେଲା ନିଜ ପରିବାରକୁ ଭେଟିପାରି ନାହାନ୍ତି। ଏହା ସହିତ ଡିସେମ୍ବର ୨୦୨୫ ରୁ ଇମ୍ରାନ୍ ଖାନ୍ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ନିୟମିତ ଭାବେ ନିଜ ଓକିଲମାନଙ୍କୁ ଭେଟିବାକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ।
ଭ୍ରଷ୍ଟାଚାର ମାମଲାରେ ଇମ୍ରାନ୍ଙ୍କୁ ମିଳିଛି ଦଣ୍ଡ
୭୩ ବର୍ଷୀୟ ଇମ୍ରାନ୍ ଖାନ୍ ୫ ଅଗଷ୍ଟ ୨୦୨୩ ରୁ ଜେଲ୍ରେ ଅଛନ୍ତି। ଭ୍ରଷ୍ଟାଚାରର ଏକ ମାମଲାରେ ଦଣ୍ଡିତ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ପରେ କେତେକ ମାମଲାରେ ଆଶ୍ୱସ୍ତି ମିଳିଥିଲା, କିନ୍ତୁ ଅନ୍ୟ ମାମଲାଗୁଡ଼ିକର ଶୁଣାଣି ଏବେ ବି ଜାରି ରହିଛି, ସେଥିପାଇଁ ସେ ଏବେ ବି ଜେଲ୍ରେ ଅଛନ୍ତି। PTI ଓକିଲ ଅବୁଜର ସଲମାନ ନିୟାଜୀ ଦାବି କରିଛନ୍ତି ଯେ ପଞ୍ଜାବର ମିଆଁୱାଲିରେ ୨୦ ରୁ ଅଧିକ ଦଳୀୟ କର୍ମୀଙ୍କୁ ଗିରଫ କରାଯାଇଛି, ଯେପରି ସେମାନେ ପ୍ରଦର୍ଶନରେ ସାମିଲ ହୋଇନପାରିବେ। ଦଳର କହିବା କଥା ଯେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଇମ୍ରାନ୍ ଖାନଙ୍କ ମୁକ୍ତି ପାଇଁ ତାଙ୍କର ଆନ୍ଦୋଳନ ଜାରି ରହିବ।